ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରରେ ଦୁଇଟି ମସଜିଦ ଭିତରେ ଆଜି କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏହି ଘଟଣାରେ କେତେ ଲୋକ ମୃତାହତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ।
ସ୍ଥାନୀୟ ମିଡିଆରେ ଏ ନେଇ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଛି। କିଏ କହୁଛି ୬ ଜଣଙ୍କ ମୃତ୍ୟୁ ହୋଇଛି ତ ଆଉ କିଏ କହୁଛି ୯ ଜଣଙ୍କ। ଆଉ କେହି କେହି କହୁଛନ୍ତି ଆହୁରି ବହୁତ ଲୋକଙ୍କ ମୃତ୍ୟୁ ହୋଇଛି। Stuff.co.nz ନାମକ ଏକ ନ୍ୟୁଜ୍ ପୋର୍ଟାଲ୍ ଅନୁଯାୟୀ ଏଥିରେ ପ୍ରାୟ ୩୦ ଜଣ ଲୋକ ନିହତ ହୋଇଛନ୍ତି। ତେବେ ସରକାରୀ ଭାବେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ। ଦୁର୍ବୃତ୍ତମାନେ ୫୦ ରାଉଣ୍ଡ ଗୁଳି ଚଲାଇଥିବା ଜଣାପଡ଼ିଛି। ପୁଲିସ୍ କ୍ରାଏଷ୍ଟଚର୍ଚ୍ଚକୁ ଚାରିପଟୁ ସିଲ୍ କରି ଦେଇଛି।
ଆଜି ଶୁକ୍ରବାର ହୋଇଥିବାରୁ ଅପରାହ୍ଣରେ (ସ୍ଥାନୀୟ ସମୟ ଅନୁସାରେ) ପ୍ରାର୍ଥନା କରିବାକୁ ଏହି ଦୁଇଟି ମସଜିଦରେ ଖୁବ୍ ଭିଡ଼ ଜମି ଥିବା ବେଳେ ଗୁଳିମାଡ଼ ହୋଇଥିଲା। ସେଣ୍ଟ୍ରାଲ୍ କାଏଷ୍ଟଚର୍ଚ୍ଚ ସ୍ଥିତ ମସ୍ଜିଦ୍ ଅଲ୍ ନୂର ସହିତ ସହର ଉପକଣ୍ଠସ୍ଥ ଲିନ୍ଉଡ୍ରେ ଥିବା ଏକ ମସ୍ଜିଦ୍ରେ ଏହି ଘଟଣା ଘଟିଛି।
ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ଆକ୍ରମଣକାରୀ ବୋଲି ପୁଲିସ୍ କହିଛି। ଆଉ ଜଣଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ କରୁଛି।
ନ୍ୟୁଜଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି,“କ୍ରାଏଷ୍ଟଚର୍ଚ୍ଚରେ ଥିବା ମସଜିଦ୍ ଉପରେ ଗୁଳିମାଡ଼ ହୋଇଛି। ଆଜି ନ୍ୟୁଜିଲ୍ୟାଣ୍ଡ ଇତିହାସ ପାଇଁ ଏକ କଳା ଦିନ ଥିଲା। ପୁଲିସ୍ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ମସଜିଦରେ ଗୁଳିମାଡ଼ ପରେ କ୍ରାଏଷ୍ଟଚର୍ଚ୍ଚର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇଛି। ଘରୁ ନ ବାହାରିବାକୁ ମଧ୍ୟ ଲୋକମାନଙ୍କୁ କୁହାଯାଇଛି।
ନ୍ୟୁଜିଲ୍ୟାଣ୍ଡରେ ଏଭଳି ଗଣହତ୍ୟା ଘଟଣା ଖୁବ୍ ବିରଳ। କାରଣ ଏଠାରେ ବନ୍ଧୁକକୁ ନେଇ କଡ଼ା ଆଇନ୍ ରହିଛି। ୧୯୯୦ରେ ଜଣେ ମାନସିକ ରୋଗୀର ଗୁଳିମାଡ଼ରେ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିବା ପରେ ୧୯୯୨ରେ ସେମି-ଅଟୋମେଟିକ୍ ରାଇଫଲ୍ସର ବ୍ୟବହାର ଉପରେ ଏଠାରେ କଡ଼ା ନିୟମ ଜାରି କରାଯାଇଥିଲା। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ୧୬ ବର୍ଷରୁ ଊର୍ଦ୍ଧ୍ୱ ଯେକୌଣସି ବ୍ୟକ୍ତି ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିପାରିବେ।