ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକାଜରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମାର୍ଚ୍ଚ ୧୩ରୁ ୧୫ ଯାଏ ଏଠାରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହାପରେ କିଛି ଲୋକ ଚାଲି ଯାଇଥିବା ବେଳେ ଆଉ କିଛି ଲୋକ ମସଜିଦ ମଧ୍ୟରେ ରହିଥିଲେ।
ସାମାଜିକ ଦୂରତ୍ୱ ପାଇଁ କଟକଣା ଲାଗି ଥିଲେ ହେଁ କାହିଁକି ଲୋକମାନେ ଏହା ମଧ୍ୟରେ ରହୁଥିଲେ, ତା’କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତେବେ ମରକାଜ ଖାଲି କରିବା ପାଇଁ ଏଠାକାର ମୌଲାନା ସାଦ ରାଜି ହୋଇଥିଲେ। କିନ୍ତୁ ୨୮-୨୯ ତାରିଖ ରାତି ୨ଟାରେ ଏନଏସଏ ଅଜିତ ଡୋଭାଲ ମୌଲାନା ସାଦଙ୍କୁ ମସଜିଦରେ ଦେଖା କରିବା ପରେ ହିଁ ସେ ସ୍ଥାନ ଖାଲି କରିବାକୁ ରାଜି ହୋଇଥିଲେ।
ଦିଲ୍ଲୀ ପୁଲିସ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ବାଙ୍ଗେଲୱାଲି ମସଜିଦକୁ ଖାଲି କରିବାକୁ ଅନେକ ଥର କହିଥିଲେ ହେଁ ଏହାକୁ ସେମାନେ ଶୁଣି ନଥିଲେ। ମୌଲାନା ସାଦ ତାବଲିଘି ଜାମାତର ମୁଖ୍ୟ ମଧ୍ୟ। ଗୃହମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୯-୨୯ ରାତି ୨ଟାରେ ଡୋଭାଲ ନିଜାମୁଦ୍ଦିନ ମରକାଜରେ ପହଞ୍ଚିଥିଲେ। ଏହାପରେ ସେ ମୌଲାନାଙ୍କ ସହ କଥା ହୋଇ ଏହା ମଧ୍ୟରେ ଥିବା ଲୋକଙ୍କ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ।
ସେହିପରି ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ କହିଥିଲେ। ଡୋଭାଲଙ୍କ ସହ ବୈଠକ କରିବା ପରେ ମୌଲାନା ସାଦ ମସଜିଦ ଖାଲି କରିବାକୁ ରାଜି ହୋଇଥିଲେ। ମାର୍ଚ୍ଚ ୧୮ରେ ତେଲେଙ୍ଗାନାର କରିମନଗରରେ ପହଞ୍ଚିଥିବା ୯ ଜଣ ଇଣ୍ଡୋନେସିଆ ନାଗରିକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।
ଏହି ବ୍ୟକ୍ତିମାନେ ମସଜିଦରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେବେଠାରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆକ୍ସନ ମୋଡକୁ ଆସିଥିଲା। ରବିବାର କିଛି ଲୋକଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବା ପରେ ସମସ୍ତଙ୍କୁ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଏଯାଏ ଦିଲ୍ଲୀରେ ୨୪, ତାମିଲନାଡୁରେ ୪୫ ଓ ତେଲେଙ୍ଗାନାରେ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।