ମେ ୧ ହେବ ମାସୁଦ୍‌ ପାଇଁ କାଳଦିନ!

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ‘ବିଶ୍ୱସ୍ତରୀୟ’ ଆତଙ୍କୀ ଘୋଷଣା କରିବାର ପ୍ରୟାସ ଶେଷରେ ସଫଳ ରୂପ ନେବାର ବାଟ ଫିଟିଯାଇଛି। ଏହା ଉପରେ ଜାତିସଂଘର ସୁରକ୍ଷା ପରିଷଦରେ ଚାଇନା ରୋକ୍‌ ଲଗାଇ ଆସୁଥିବାବେଳେ ପ୍ରଥମ ଥର ପାଇଁ ଆସନ୍ତା କାଲି ବା ମେ ୧ ତାରିଖରେ ଏହି ଭିଟୋ ଉଠାଇବାକୁ ନିଷ୍ପତ୍ତି ନେଉଥିବା ସୂଚନା ମିଳିଛି। ଏହାପରେ ଜୈଶ୍‌କୁ ଭବିଷ୍ୟତରେ କେହି ମଧ୍ୟ ଆର୍ଥିକ ସହାୟତା ଦେଇ […]

masood

Subrat Kumar Nayak
  • Published: Tuesday, 30 April 2019
  • , Updated: 30 April 2019, 08:02 PM IST

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ‘ବିଶ୍ୱସ୍ତରୀୟ’ ଆତଙ୍କୀ ଘୋଷଣା କରିବାର ପ୍ରୟାସ ଶେଷରେ ସଫଳ ରୂପ ନେବାର ବାଟ ଫିଟିଯାଇଛି। ଏହା ଉପରେ ଜାତିସଂଘର ସୁରକ୍ଷା ପରିଷଦରେ ଚାଇନା ରୋକ୍‌ ଲଗାଇ ଆସୁଥିବାବେଳେ ପ୍ରଥମ ଥର ପାଇଁ ଆସନ୍ତା କାଲି ବା ମେ ୧ ତାରିଖରେ ଏହି ଭିଟୋ ଉଠାଇବାକୁ ନିଷ୍ପତ୍ତି ନେଉଥିବା ସୂଚନା ମିଳିଛି। ଏହାପରେ ଜୈଶ୍‌କୁ ଭବିଷ୍ୟତରେ କେହି ମଧ୍ୟ ଆର୍ଥିକ ସହାୟତା ଦେଇ ପାରିବେ ନାହିଁ।

ଏପରି ହେଲେ ବହୁଦିନ ଧରି ଭାରତର ପ୍ରୟାସ ସଫଳ ହେବା ସହ ନରେନ୍ଦ୍ର ମୋଦି ସରକାରଙ୍କର ଏକ ପ୍ରକାର କୂଟନୀତିକ ବିଜୟ ମଧ୍ୟ ହେବ। ଗତ ଫେବୃଆରୀ ୧୪ ପରଠାରୁ ଭାରତ ଏହି ଦିଗରେ ଲଗାତାର ପ୍ରୟାସ କରିଆସୁଛି ଏବଂ ବିଶ୍ୱସ୍ତରରେ ଦେଶସମୂହଙ୍କ ସମର୍ଥନ ଲୋଡ଼ିଆସୁଛି।

ଏହି ପ୍ରକ୍ରିୟା ସହିତ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ମେ ଦିବସ ମାସୁଦ ଆଝାର ପାଇଁ କାଳ ଦିବସ ହେବ। କାରଣ ଏହି ଦିନ ହିଁ ଜାତିସଂଘର ଇସଲାମିକ୍‌ ଷ୍ଟେଟ୍‌ ଏବଂ ଅଲକାଏଦା କଟକଣା କମିଟି ତାକୁ ‘ବିଶ୍ୱସ୍ତରୀୟ ଆତଙ୍କବାଦୀ’ ଘୋଷଣା କରିବ।

ପୁଲ୍‌ୱାମା ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମାସୁଦ୍‌ ବିରୋଧରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍‌ ପରି ବିଶ୍ୱଶକ୍ତି ଏକାଠି ହୋଇଥିବାବେଳେ ବିଶ୍ୱସ୍ତରରେ ଭାରତର ଏହି ଦାବିକୁ ଚାଇନା ମାନିବାକୁ ବାଧ୍ୟ ହେବ।

ଗତ ମାର୍ଚ୍ଚ ୧୩ ତାରିଖରେ ଜାତିସଂଘର ସୁରକ୍ଷା ପରିଷଦରେ ଆଗତ ଏହି ପ୍ରସ୍ତାବକୁ ଚାଇନା ଟେକ୍ନିକାଲ କାରଣ ଦର୍ଶାଇ ସ୍ଥଗିତ କରିରଖିଛି। ଚାଇନା ଏହି ନିଷ୍ପତ୍ତି ୧୫ ତାରିଖ ଭିତରେ ନେବ ବୋଲି କହିଥିବାବେଳେ ଆମେରିକା ନେତୃତ୍ୱରେ ଅନ୍ୟ ରାଷ୍ଟ୍ରମାନେ କହିଛନ୍ତି, ଚାଇନା ଏବଂ ଏହାର ବନ୍ଧୁରାଷ୍ଟ୍ର ପାକିସ୍ତାନ ପାଇଁ ସମୟ ସରି ଆସୁଛି।

ମାସୁଦ୍‌ ଉପରେ ଏହି କଟକଣା ପାଇଁ ଆମେରିକା ଏବଂ ବ୍ରିଟେନ୍‌ ପୂର୍ବରୁ ପ୍ରୟାସ ଚଲାଇଥିବାବେଳେ ପୁଲ୍‌ୱାମା ଆକ୍ରମଣ ପରେ ଫ୍ରାନ୍ସ ଅଣ୍ଟା ଭିଡ଼ିଥିଲା। ଏହାପରେ ସେମାନେ ଜାତିସଂଘର ୧୨୬୭ କଟକଣା କମିଟି ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହି କମିଟିରେ ସୁରକ୍ଷା ପରିଷଦ ଭଳି ୧୫ ଜଣ ସଦସ୍ୟ ଥାଆନ୍ତି। ଏହା ଆଗତ ହେବାର ୧୦ ଦିନ ମଧ୍ୟରେ ସଦସ୍ୟମାନଙ୍କୁ ଉତ୍ତର ରଖିବାକୁ ହୁଏ। ଏହି ଅବଧିର ଶେଷ ଦିନରେ ଚାଇନା ଟେକ୍ନିକାଲ କାରଣ ଦର୍ଶାଇ ଏଥିରେ ରୋକ୍‌ ଲଗାଇଥିଲା। ଚାଇନା ଏଭଳି ୪ଥର କରିସାରିଲାଣି। ଏହାପରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନେ ମାସୁଦ୍‌ ଉପରେ କଟକଣା ପାଇଁ ସଂକଳ୍ପ ଚିଠା ପ୍ରସ୍ତୁତ କରି ଜାତିସଂଘ ଦ୍ୱାରସ୍ଥ ହେବାକୁ ବାହାରିଥିଲେ। କିନ୍ତୁ ଏହି ପ୍ରସ୍ତାବକୁ ଚାଇନା ବିଚାର କରିବାପାଇଁ ଜାତିସଂଘ ସମୟ ଦେଇଥିଲେ। ପରେ ଉଭୟ ଆମେରିକା ଏବଂ ଚାଇନା ପକ୍ଷରୁ ଏହି ପଦକ୍ଷେପ ନେଇ ସକାରାତ୍ମକ ତଥ୍ୟ ଆସିବାରେ ଲାଗିଥିଲା।

ସୂଚନାଯୋଗ୍ୟ ଯେ, ଏହି ପାକିସ୍ତାନୀ ଦୁର୍ଦ୍ଦଷ ଆତଙ୍କୀ ମାସୁଦ୍‌କୁ ପୂର୍ବରୁ ଗିରଫ କରାଯାଇଥିଲା। କିନ୍ତୁ ୧୯୯୯ ମସିହା ଡିସେମ୍ବର ୩୧ରେ କାନ୍ଦାହାର ବିମାନ ଅପହରଣ ଘଟଣାରେ ପଣବନ୍ଦୀଙ୍କ ବିନିମୟରେ ଆଝାର ଏବଂ ୨ ଜଣ ଆତଙ୍କବାଦୀଙ୍କୁ ଛଡ଼ାଯାଇଥିଲା। ଏହାପରେ ହିଁ ୨୦୦୧ ମସିହାରେ ତା'ର ସଂଗଠନ ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିଥିଲା। ୨୦୧୬ରେ ପଠାନ୍‌କୋଟ୍‌ରେ ହୋଇଥିବା ଆକ୍ରମଣ ମଧ୍ୟ ତା’ ନିର୍ଦ୍ଦେଶରେ ହୋଇଥିଲା।

Related story