ନୂଆଦିଲ୍ଲୀ: ଏବେ ଘରେ ବସି ଶ୍ରଦ୍ଧାଳୁ ପାଇପାରିବେ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ । ମାତା ବୈଷ୍ଣୋଦେବୀ ବୋର୍ଡ ପକ୍ଷରୁ ଆରମ୍ଭ କରାଯାଇଛି ହୋମ୍ ଡେଲିଭରି ବ୍ୟବସ୍ଥା । ବୋର୍ଡର ୱେବସାଇଟ୍ରୁ ଶ୍ରଦ୍ଧାଳୁମାନେ ପ୍ରସାଦର ହୋମ ଡେଲିଭରି ବୁକ୍ କରିପାରିବେ ।
ଏଣିକି ଦେଶର ଯେକୌଣସି ସ୍ଥାନରେ ଶ୍ରଦ୍ଧାଳୁ ଏହି ବ୍ୟବସ୍ଥାରେ ମା’ ବୈଷ୍ଣୋଦେବୀଙ୍କ ପ୍ରସାଦ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ସିଇଓ ରମେଶ କୁମାର । ମାତା ବୈଷ୍ଣାଦେବୀଙ୍କ ମନ୍ଦିରରେ ପୂଜା ପରେ ପ୍ରସାଦକୁ ଏକ ସ୍ୱତନ୍ତ୍ର ବକ୍ସରେ ପ୍ୟାକ୍ କରାଯାଉଛି । ଏଥିରେ ମା’ଙ୍କର ଚୁନୀ, ସିଲଭର କଏନ୍, ଶୁଖିଲା ପ୍ରସାଦ ରହୁଛି।
କରୋନା ମହାମାରୀ ସମୟରେ ଭକ୍ତମାନେ ମନ୍ଦିରକୁ ଆସିପାରୁନଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଖରେ ମା’ଙ୍କ ଆଶୀର୍ବାଦ tସ୍ୱରୂପ ଏହି ସବୁ ସାମଗ୍ରୀ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । ତେବେ କୋଭିଡ କଟକଣା ମାନି ସଂପୂର୍ଣ୍ଣ ରୂପେ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ବି ରଖାଯାଉଛି । ତେବେ ମନ୍ଦିର ପ୍ରଶାସନର ଏଭଳି ଉଦ୍ୟମକୁ ଶ୍ରଦ୍ଧାଳୁମାନେ ବେଶ୍ ପ୍ରଶଂସା କରିଛନ୍ତି ।