ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ସୁଶ୍ରୀ ମାୟାବତୀ ଆଜି ନିଜ ଲକ୍ଷ୍ନୌସ୍ଥିତ ବାସଭବନରେ ଦଳୀୟ ନେତାଙ୍କୁ ଡକାଇ ବୈଠକ କରୁଛନ୍ତି। କିନ୍ତୁ ବୈଠକ ପୂର୍ବରୁ ଦଳୀୟ ନେତାଙ୍କୁ ସେମାନଙ୍କ ମୋବାଇଲ, ବ୍ୟାଗ୍, ଜୋତା ଆଦି ଖୋଲିବାକୁ ପଡ଼ିଛି। ସବୁ ନେତା ସେମାନଙ୍କର ମୋବାଇଲ, ଜୋତା, ବ୍ୟାଗ ଏବଂ ସାଙ୍ଗରେ ଆଣିଥିବା ଆସବାବ ପତ୍ର କାଢ଼ି ଏକ ସ୍ୱତନ୍ତ୍ର ଆଲମିରାରେ ରଖିଥିବା ଜଣାପଡ଼ିଛି।
କାରଣ ମାୟାବତୀଙ୍କୁ ଘାରିଛି ଆଶଙ୍କା। ବୈଠକରେ ପ୍ରସ୍ତୁତ ହେବାକୁ ଥିବା ରଣନୀତିର ରେକର୍ଡ଼ିଂ କରି କେହି ସିଧାସିଧା ଅନ୍ୟ ଦଳକୁ ଜଣାଇ ଦେଇପାରେ। ମନରେ ଏଭଳି ସନ୍ଦେହ ଉପୁଜିବା ପରେ ବୈଠକ ପୂର୍ବରୁ ଦଳୀୟ ନେତାଙ୍କୁ ମୋବାଇଲ, ବ୍ୟାଗ୍, ଜୋତା ଆଦି ଖୋଲିବାକୁ ପଡ଼ିଛି।
ବିଏସପିର ଜଣେ ନେତା ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଦଳ ଭିତରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହି ବୈଠକରେ ଆଗାମୀ ଉପନିର୍ବାଚନ ବାବଦରେ ମଧ୍ୟ ଆଲୋଚନା ହେବ। ତେଣୁ ରଣନୀତି ଯେଉଁଭଳି ବାହାର ଦଳର ନେତାଙ୍କ କାନରେ ନ ପଡ଼େ, ତାଉପରେ ମାୟାବତୀ ଅଧିକ ଗୁରୁତ୍ୱ ଦେଇଛନ୍ତି।