ନୂଆଦିଲ୍ଲୀ: ଚାଇନା, ଆମେରିକା, ଇଟାଲୀ ଏବଂ ଇରାନ ଭଳି ଦେଶରେ ଯେଉଁଭଳି ଭାବରେ ମହାମାରୀ କରୋନା ମାଡ଼ି ଚାଲିଛି ସେଭଳି ଭାରତରେ ହେଲେ ସ୍ଥିତି ଜଟିଳ ହୋଇଯିବ। ଏହାର ମୁଖ୍ୟ କାରଣ ଦେଶର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା। ହସ୍ପିଟାଲରେ ନାହିଁ ଆବଶ୍ୟକ ସ୍ୱାସ୍ଥ୍ୟ ଉପକରଣ ଏବଂ ଭେଣ୍ଟିଲେଟର। ଏହାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ମଧ୍ୟ ସମାଲୋଚନାର ଶିକାର ହେଉଛନ୍ତି। ଏବେ ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ଆସୋସିଏସନ ଅଫ୍ ଇଣ୍ଡିଆନ୍ ମେଡିକାଲ ଡିଭାଇସ ଇଣ୍ଡଷ୍ଟ୍ରି (ଏଆଇଏମଇଡି)।
ଆସନ୍ତା ମେ’ ମାସରୁ ପ୍ରତି ମାସ ୫୦ ହଜାର ଭେଣ୍ଟିଲେଟର ତିଆରି କରିବେ ବୋଲି କହିଛନ୍ତି। ଏଥିପାଇଁ ଅଗ୍ରଣୀ ଅଟୋମାବାଇଲ କମ୍ପାନୀ ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ହ୍ୟୁଣ୍ଡାଇ ଆଦି ସହଯୋଗ କରିବେ ବୋଲି ଏଆଇଏମଇଡିର ସଂଯୋଜକ ରାଜୀଭ ନାଥ କହିଛନ୍ତି।
ସୂଚନାଯୋଗ୍ୟ, କରୋନା ଯଦି ଭାରତରେ ବ୍ୟାପକ ଭାବେ ସଂକ୍ରମିତ ହେବ ତାହେଲେ ମେ ୧୫ ସୁଦ୍ଧା ୧,୧୦,୦୦୦-୨,୨୦,୦୦୦ ଭେଣ୍ଟିଲେଟର ଆବଶ୍ୟକ ହେବ। ଏବେ କିନ୍ତୁ ଦେଶରେ ୫୭,୦୦୦ ଭେଣ୍ଟିଲେଟର ରହିଛି। ମୁମ୍ବାଇରେ ଜରୁରୀ ସ୍ଥିତରେ ୮୦୦-୧୦୦୦ ଭେଣ୍ଟିଲେଟର, ତାମିଲନାଡୁ ଏବଂ ମଧ୍ୟ ପ୍ରଦେଶରେ ୧,୫୦୦ରୁ ୧,୮୦୦, ବେଙ୍ଗାଲୁରୁରେ ୪୦୦, କେରଳରେ ୫,୦୦୦ ଭେଣ୍ଟିଲେଟର ରହିଥିବା ସୂଚନା ରହିଛି।
ଏଆଇଏମଇଡି କହିଛି ୧୦ଟି ବଡ଼ ବଡ଼ କମ୍ପାନୀ ଭେଣ୍ଟିଲେଟର ତିଆରି କରିବା ପାଇଁ ରାଜି ହୋଇଛନ୍ତି। ସେଥିମଧ୍ୟରୁ ୭ ଜଣ ଏବେ ଭେଣ୍ଟିଲେଟର ତିଆରି ପାଇଁ ଆଗେଇ ଆସିଛନ୍ତି। ଏବେ ପ୍ରତିମାସ ୫,୫୦୦-୫,୭୫୦ ଭେଣ୍ଟିଲେଟର ପ୍ରତିମାସରେ ତିଆରି ହେଉଛି। ପୂର୍ବ ମାସରେ କିନ୍ତୁ ୨,୭୦୦ଟି ଭେଣ୍ଟିଲେଟର ତିଆରି ହୋଇଥିବା ଏଆଇମେଇଡି କହିଛି।