ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର କେରଳ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଧରା ହୋଇଥିବା ସୁନା ଚୋରି ମାମଲାର ତଦନ୍ତ ଦାୟିତ୍ୱ ଏନଆଇଏକୁ ଦେଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିବା ପରେ ଗୃହ ମନ୍ତ୍ରାଳୟ ଏନଆଇଏ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ଜାତୀୟ ସୁରକ୍ଷାକୁ ଆଧାର କରି ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ଗୃହ ବିଭାଗ କହିଛି। ସୁନା ଚୋରି ମାମଲାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ୩୦ କେଜିର ସୁନା ଧରା ହୋଇଥିଲା। ୟୁଏଇ ବିମାନ ବନ୍ଦରରୁ ଆସିଥିବା କୂଟନୀତିକ କାର୍ଗୋରେ ଏହି ସୁନା ଆସୁଥିବା ବେଳେ କଷ୍ଟମ ବିଭାଗ ରେଡ୍ କରି ଧରିଥିଲା। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ମୁଖ୍ୟ ସଚିବ ଏମ ଶିବଶଙ୍କରଙ୍କର ସଂପୃକ୍ତି ଥିବା ନେଇ ବିରୋଧୀ ଦାବି କରିଛନ୍ତି। ଏହାପରେ ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।
ଏହି ସୁନା ଚୋରା ଚାଲାଣ ଘଟଣାରେ ରାଜ୍ୟ ଆଇଟି ବିଭାଗର ସଚିବ ସ୍ୱପ୍ନା ସୁରେଶ ମଧ୍ୟ ସାମିଲ ଥିବା ଜଣାପଡ଼ିବା ପରେ ତାଙ୍କୁ ପଦରୁ ବିଦା କରାଯାଇଛି। ତାଙ୍କର କୌଣସି ପତ୍ତା ଏଯାବତ ମିଳିନାହିଁ।