ରିୟାଦ୍: ହୋଟେଲରେ ମହିଳା ଏବଂ ପୁରୁଷ ପର୍ଯ୍ୟଟକଙ୍କୁ ଏକାଠି ରହିବା ପାଇଁ ଆଉ ପରିଚୟପତ୍ର ଦେଖାଇବାକୁ ପଡ଼ିବନି। ସାଉଦି ଆରବ ସରକାର ଏବେ ପର୍ଯ୍ୟଟନ ବଢ଼ାଇବା ପାଇଁ ଏଭଳି ଘୋଷଣା କରିଛନ୍ତି। ଏହାର କିଛି ଦିନ ପୂର୍ବରୁ ହିଁ ଭିସା ବାବଦରେ ବଡ଼ ଘୋଷଣା କରିଥିଲା ଏହି ଦେଶ।
ଅନ୍ୟପକ୍ଷରେ ପୂର୍ବ ନିୟମ ବଦଳାଇ ସାଉଦି ମହିଳାଙ୍କ ସମେତ ସମସ୍ତ ମହିଳା ନିଜେ ରୁମ୍ ବୁକ୍ କରିପାରିବେ। ଏହା ଫଳରେ ବିନା କାହାର ସହାୟତାରେ ମହିଳାମାନେ ସାଉଦିରେ ବୁଲିପାରିବେ। ତେବେ ବିବାହ ବିନା ଯୌନସମ୍ପର୍କକୁ ଏଠାରେ ନିଷିଦ୍ଧ ଘୋଷଣା କରାଯାଇଥିଲେ ମଧ୍ୟ ଅବିବାହିତ ବିଦେଶୀ ପର୍ଯ୍ୟଟକମାନେ ଏକାଠି ରହିବାର ସୁଯୋଗ ପାଇପାରିବେ।
କିନ୍ତୁ ସାଉଦି ପ୍ରଶସନ ପକ୍ଷରୁ କୁହାଯାଇଛି, ସାଉଦି ନାଗରିକମାନଙ୍କୁ ଫ୍ୟାମିଲି ଆଇଡି ବା ସେଭଳି କିଛି ପ୍ରମାଣପତ୍ର ଦେଖାଇଲେ ଯାଇ ହୋଟେଲରେ ରହିପାରିବେ। ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏସବୁ ଲଗା ହେବନି। ସାଉଦି ସରକାର ଆଉ କେବଳ ତୈଳ ରପ୍ତାନୀ ଉପରେ ନିର୍ଭର ନକରି ବର୍ତ୍ତମାନ ପର୍ଯ୍ୟଟନ ଆଡ଼କୁ ମୁହାଁଇଛନ୍ତି। ତେଣୁ ଗତ କିଛି ଦିନ ତଳେ ୪୯ଟି ରାଷ୍ଟ୍ରର ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସାଉଦି ସରକାର ନିମନ୍ତ୍ରଣ କରିସାରିଛନ୍ତି।