ସାଇକେଲରେ ଗାଁକୁ ଫେରୁଥିଲେ ସାହୁ ଦମ୍ପତି, ପିଟିଦେଲା ଅଜଣା ଗାଡ଼ି

ଲକ୍ଷ୍ନୌ: ଲକଡାଉନ୍ ଯୋଗୁଁ ଖାଇବାକୁ ମଳିଲାନି। ସଞ୍ଚିତ ଅର୍ଥ ବି ସରିଲା। କିଛି ଦିନ ଉପବାସରେ ରହିଲେ ପୂରା ପରିବାର।  ଭୋକ ଉପାସ ଅସହ୍ୟ ହେବାରୁ ପତ୍ନୀ ଓ ଦୁଇ ଛୁଆଙ୍କୁ ଧରି ସାଇକେଲ୍‌ରେ ଗାଁକୁ ବାହାରିଲେ କୃଷ୍ଣ ସାହୁ। ପେଟର ଜ୍ୱଳା ଓ ନିର୍ଜନ ରାସ୍ତା, ତଥାପି ମନ ଭିତରେ ରହିଛି ବଞ୍ଚିବାର ଆଶା। ସେହି ନିଶାରେ ୭୫୦ କିମି ଦୂର ନିଜ ଗାଁକୁ ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାରେ ଶିକାର ହେଲେ। ଆଉ ଚାଲିଗଲା […]

MIGRANT KRUSHNA SAHU

Subhransu Sekhar
  • Published: Friday, 08 May 2020
  • , Updated: 08 May 2020, 09:34 PM IST

ଲକ୍ଷ୍ନୌ: ଲକଡାଉନ୍ ଯୋଗୁଁ ଖାଇବାକୁ ମଳିଲାନି। ସଞ୍ଚିତ ଅର୍ଥ ବି ସରିଲା। କିଛି ଦିନ ଉପବାସରେ ରହିଲେ ପୂରା ପରିବାର।  ଭୋକ ଉପାସ ଅସହ୍ୟ ହେବାରୁ ପତ୍ନୀ ଓ ଦୁଇ ଛୁଆଙ୍କୁ ଧରି ସାଇକେଲ୍‌ରେ ଗାଁକୁ ବାହାରିଲେ କୃଷ୍ଣ ସାହୁ। ପେଟର ଜ୍ୱଳା ଓ ନିର୍ଜନ ରାସ୍ତା, ତଥାପି ମନ ଭିତରେ ରହିଛି ବଞ୍ଚିବାର ଆଶା। ସେହି ନିଶାରେ ୭୫୦ କିମି ଦୂର ନିଜ ଗାଁକୁ ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାରେ ଶିକାର ହେଲେ। ଆଉ ଚାଲିଗଲା କୃଷ୍ଣ ଓ ତାଙ୍କ ପତ୍ନୀଙ୍କ ଜୀବନ। ବେସାହାରା ହୋଇଗଲେ ତାଙ୍କର ଦେଢ଼ ବର୍ଷର ପୁଅ ଓ ସାଢ଼େ ୪ ବର୍ଷର ଝିଅ। ଏପରି ହୃଦୟବିଦାରକ ଘଟଣା ଉତ୍ତରପ୍ରଦେଶରେ ଘଟିଛି। ସେମାନେ ଆମ ପଡ଼ୋଶୀ ଛତିଶଗଡ଼ ରାଜ୍ୟର।

ଛତିଶଗଡ଼ ରାଜ୍ୟର ବେମେତରା ଜିଲ୍ଲାର କୃଷ୍ଣ ୭ରୁ ୮ ବର୍ଷ ଧରି ଲକ୍ଷ୍ନୌରେ ରହୁଥିଲେ। ସେଠାରେ ତାଙ୍କ ସହ ତାଙ୍କର ପରିବାର କହିଲେ ପତ୍ନୀ ପ୍ରମିଳା ସାହୁ ଓ ଦୁଇ ପିଲା ରହୁଥିଲେ। କୃଷ୍ଣ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। କିନ୍ତୁ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ କାମ ହରାଇଲେ କୃଷ୍ଣ। ପରିବାର ଚଳାଇବା କଷ୍ଟକର ହେଲା।

ଶେଷରେ ସବୁ ଆଡୁ ନିରାଶ ହେବା ପରେ କୃଷ୍ଣ ଗାଁକୁ ଫେରିବା ପାଇଁ ମନସ୍ତ କଲେ। ଏପରିକି ସାଇକେଲ୍‌ରେ ପତ୍ନୀ ଓ ଦୁଇ ପିଲାଙ୍କୁ ଧରି ନିଜ ଗାଁକୁ ଫେରୁଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ହେବ, ଲକ୍ଷ୍ନୌ ବାଇପାସ୍‌ଠାରୁ ୨୩ କିମି ଦୂର ଶାହିଦ୍‌ ପ୍ରାନ୍ତରେ ଏକ ଦ୍ରୁତଗାମୀ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ରସ୍ତା ପାର୍ଶ୍ୱରେ ଦମ୍ପତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ପିଲା ଦୁଇ ଜଣ କିଛି ଜାଣିପାରୁନଥିଲେ। ଅନ୍ଧକାର ରାତିରେ ରକ୍ତାକ୍ତ ବାପା-ମାଆଙ୍କୁ ଧରି କଇଁ କଇଁ କାନ୍ଦୁଥିଲେ। ଏତେ ରାତିରେ ଛୁଆଙ୍କ କନ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ହାଲତ ଶୁଖିଯାଇଥିଲା। ପରେ ସାହାସ ଜୁଟାଇ ସ୍ଥାନୀୟ ଲୋକ ଦୁର୍ଘଟଣା ସ୍ଥଳକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ କୃଷ୍ଣ ଓ ପ୍ରମିଳାଙ୍କ ମୃତ୍ୟୁ ଘଟିଥିଲା। ଏବେ ଦୁଇ ପିଲା ଅନାଥ ହୋଇଯାଇଛନ୍ତି। ଏନେଇ ଲକ୍ଷ୍ନୌ ପୁଲିସ ସୂଚନା ଦେଇଛି।

ତେବେ କୃଷ୍ଣଙ୍କ ପଡ଼ୋଶୀ ମୋହନ ସାହୁ କହିଛନ୍ତି, କୃଷ୍ଣ ସାହୁ ଜଣେ ଦିନ ମଜୁରିଆ। ଲକଡାଉନ୍ ପାଇଁ ତାଙ୍କ ପାଖରେ ଖାଇବା ପାଇଁ କିଛି ନଥିଲା। ହାତରେ ପଇସା ବି ନଥିଲା। ତେଣୁ ଗାଁକୁ ପଳାଇବାକୁ ବାହାରିଥିଲେ କୃଷ୍ଣ। ରୋଜଗାର ଭଲ ନଥିବାରୁ ଗୋଟିଏ ଚାଳ ଘରେ କୃଷ୍ଣଙ୍କ ପରିବାର ରହୁଥିଲେ ବୋଲି ମୋହନ କହିଛନ୍ତି।

ତେବେ ଅନ୍ୟ ଜଣେ ପଡୋଶୀ କହିଛନ୍ତି, ଛତିଶଗଡ଼ ସରକାର ସେମାନଙ୍କୁ ନେବା ପାଇଁ ବନ୍ଦୋବସ୍ତ କରିଛି ବୋଲି ସୂଚନା ରହିଥିଲା। ହେଲେ କେହି ନଆସିବାରୁ କୃଷ୍ଣ ସାଇକେଲରେ ଗାଁକୁ ବାହାରିଥିଲେ ବୋଲି ସେ କହିଛନ୍ତି।

Related story