ମୁମ୍ବାଇ: ସରକାରୀ ହସ୍ପିଟାଲରେ କରୋନା ରୋଗୀଙ୍କୁ କେମିତି ଅବ୍ୟବସ୍ଥା ମଧ୍ୟରେ ଚିକିତ୍ସା ଯୋଗାଇ ଦିଆଯାଉଛି, ତା’ର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଗତ ସପ୍ତାହରେ ହସ୍ପିଟାଲରୁ ହଠାତ୍ ନିଖୋଜ ହୋଇଥିବା ଜଣେ କରୋନା ଆକ୍ରାନ୍ତ ୮୨ ବର୍ଷୀୟ ବୃଦ୍ଧାଙ୍କ ମୃତଦେହ ଏବେ ହସ୍ପିଟାଲ ଟଏଲେଟରୁ ମିଳିଛି।
ଜଲଗାଓଁ ସ୍ଥିତି ସିଭିଲ ହସ୍ପିଟାଲରେ ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେଉଥିଲେ। ହେଲେ ଜୁନ୍ ୨ରୁ ସେ କୁଆଡ଼େ ନିଖୋଜ ହୋଇଯାଇଥିଲେ। ଆଜି ଦୀର୍ଘ ୮ ଦିନ ପରେ ତାଙ୍କ ମୃତଦେହ ହସ୍ପିଟାଲର ଟଏଲେଟରୁ ଠାବ ହୋଇଛି।
ମହାରାଷ୍ଟ୍ର ବିଜେପି ନେତା କ୍ରୀତି ସୋମାୟା ଟ୍ୱିଟ କରି ଏ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ବୃଦ୍ଧାଙ୍କ ନାତି ମୋତେ ଏ ସମ୍ପର୍କରେ କହିଛନ୍ତି ଏବଂ ଏବେ ସେମାନେ ନ୍ୟାୟ ପାଇଁ ଦାବି କରିଛନ୍ତି। ଆମେ ତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ଦେବୁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।