ଏସ୍‌ସିଓ: ଜିନ୍‌ପିଙ୍ଗଙ୍କୁ ଭେଟି ପାକ୍‌ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି

ବିଶ୍‌କେକ୍‌: କିର୍ଗିଜିସ୍ତାନ୍‌ର ରାଜଧାନୀ ବିଶ୍‌କେକ୍‌ଠାରେ ଆୟୋଜିତ ହେଉଥିବା ଏସ୍‌ସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିବା ସହିତ ପାକିସ୍ତାନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଯଦି ଆଲୋଚନା ଚାହୁଁଛି, ତେବେ ପ୍ରଥମେ ଆତଙ୍କବାଦକୁ ମୂଳପୋଛ କରୁ। ଏହି ପ୍ରସଙ୍ଗ ଭାରତ ସମସ୍ତ ଫୋରମ୍‌ରେ ଉଠାଇ ଆସୁଥିବାବେଳେ ପୁଲ୍‌ୱାମା ପରେ ଭାରତର ସ୍ୱର ସହିତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ […]

modi-zinping

Subrat Kumar Nayak
  • Published: Thursday, 13 June 2019
  • , Updated: 13 June 2019, 10:25 PM IST

ବିଶ୍‌କେକ୍‌: କିର୍ଗିଜିସ୍ତାନ୍‌ର ରାଜଧାନୀ ବିଶ୍‌କେକ୍‌ଠାରେ ଆୟୋଜିତ ହେଉଥିବା ଏସ୍‌ସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିବା ସହିତ ପାକିସ୍ତାନ ଏବଂ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଯଦି ଆଲୋଚନା ଚାହୁଁଛି, ତେବେ ପ୍ରଥମେ ଆତଙ୍କବାଦକୁ ମୂଳପୋଛ କରୁ। ଏହି ପ୍ରସଙ୍ଗ ଭାରତ ସମସ୍ତ ଫୋରମ୍‌ରେ ଉଠାଇ ଆସୁଥିବାବେଳେ ପୁଲ୍‌ୱାମା ପରେ ଭାରତର ସ୍ୱର ସହିତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସ୍ୱର ମିଶାଇଛନ୍ତି। ଆତଙ୍କବାଦ ଏବଂ ଆଲୋଚନା ଏକସଙ୍ଗେ ହେବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଣିଥରେ ସ୍ପଷ୍ଟ କରି ଦେଇଛନ୍ତି।

ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ କହିବା ଅନୁଯାୟୀ ମୋଦି ଜିନ୍‌ପିଙ୍ଗଙ୍କୁ କହିଥିଲେ, ପାକିସ୍ତାନ ଏକ ଆତଙ୍କମୁକ୍ତ ପରିବେଶ ସୃଷ୍ଟି କରିବା ଦରକାର, କିନ୍ତୁ ବର୍ତ୍ତମାନ ସେପରି କିଛି ହେଉଥିବା ଲକ୍ଷ୍ୟ କରାଯାଉନାହିଁ। ତଥାପି ପାକିସ୍ତାନ ଏ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେବ ବୋଲି ଆଶା କରୁଛୁ। ଚାଇନା ପାକିସ୍ତାନର ବନ୍ଧୁ ରାଷ୍ଟ୍ର ଭାବରେ ପରିଗଣିତ। ବିଭିନ୍ନ ପ୍ଲାଟଫର୍ମରେ ପାକିସ୍ତାନ ପାଇଁ ଢାଲ ସାବ୍ୟସ୍ତ ହୋଇଆସିଥିବା ଚାଇନା ପାକିସ୍ତାନର ଭିତ୍ତିଭୂମି କ୍ଷେତ୍ରରେ ବୃହତ୍‌ ପରିମାଣର ନିବେଶ କରୁଛି।

ଏସ୍‌ସିଓ ସମ୍ମିଳନୀ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି ଦ୍ୱିପାକ୍ଷିକ ଆଲୋଚନା ପାଇଁ ବ୍ୟାକୁଳତା ପ୍ରକାଶ କରିଥିଲେ ମଧ୍ୟ ଭାରତ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇଥିଲା। ଏପରିକି ମୋଦି ବିଶ୍‌କେକ୍‌ରେ ପହଞ୍ଚିବା ପାଇଁ ପାକିସ୍ତାନ ଆକାଶ ମାର୍ଗ ଖୋଲା ରଖିଥିଲେ ମଧ୍ୟ ମୋଦି ଇରାନ୍‌ ଦେଇ ବିଶ୍‌କେକ୍‌ରେ ପହଞ୍ଚିଥିଲେ।

ଅନ୍ୟ ପକ୍ଷରେ ଚଳିତ ବର୍ଷ ଭାରତ-ଚାଇନା ଦ୍ୱିପାକ୍ଷିକ ଆଲୋଚନାକୁ ୭୦ ବର୍ଷ ପୂରୁଛି। ଏହାକୁ ସ୍ମରଣୀୟ କରିବା ପାଇଁ ଦୁଇଦେଶ ମଧ୍ୟରେ ୭୦ଟି କାର୍ଯ୍ୟକ୍ରମ କରାଯିବ। ଉଭୟ ଦେଶରେ ୩୫ଟି ଲେଖାଏ କାର୍ଯ୍ୟକ୍ରମ କରାଯିବ। ଉଭୟ ମୋଦି ଏବଂ ଜିନ୍‌ପିଙ୍ଗ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଅର୍ପଣ କରିଛନ୍ତି।

ଆସନ୍ତା ୧୫ ତାରିଖରେ ଜିନ୍‌ପିଙ୍ଗଙ୍କର ଜନ୍ମଦିନ ପଡ଼ୁଥିବାରୁ ଭାରତବାସୀଙ୍କ ପକ୍ଷରୁ ମୋଦି ତାଙ୍କୁ ଅଗ୍ରୀମ ଅଭିନନ୍ଦନ ଜଣାଇଥିଲେ। ମୋଦିଙ୍କ ବିଜୟ ପାଇଁ ଜିନ୍‌ପିଙ୍ଗ ନିର୍ବାଚନ ଫଳାଫଳ ଆସିବା ପରେ ଏବଂ ଆଜି, ଏହିପରି ଦୁଇଥର ଅଭିନନ୍ଦନ ଜଣାଇଥିବାରୁ ମୋଦି କୃତଜ୍ଞ ବୋଲି କହିଥିଲେ।

ଏହି ଅବସରରେ ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ମଧ୍ୟ ଭେଟିଛନ୍ତି। ବୈଠକରେ ମୁଖ୍ୟତଃ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ଏହାକୁ ଆହୁରି ଦୃଢ଼ କରିବା ବାବଦରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ର ଆଲୋଚନାର ମୁଖ୍ୟ ବିଷୟ ରହିଥିଲା। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଜିନ୍‌ପିଙ୍ଗ ଏବଂ ପୁଟିନ୍‌ଙ୍କୁ ପ୍ରଥମ ଥର ପାଇଁ ଭେଟିଛନ୍ତି।

କେନ୍ଦ୍ର ବୈଦେଶିକ ସଚିବ ଗୋଖଲେ କହିଛନ୍ତି, ଚଳିତ ମାସରେ ଜାପାନର ଓସାକାଠାରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ରୁଷ୍‌, ଭାରତ ଏବଂ ଚାଇନା ମଧ୍ୟରେ ତ୍ରିପାକ୍ଷିକ ବୈଠକ ହେବ। ପୁଟିନ୍‌ ମୋଦିଙ୍କୁ ରୁଷ୍‌ର ଭ୍ଲାଡିଭଷ୍ଟକ୍‌ଠାରେ ଆୟୋଜିତ ହେବାକୁ ଥିବା ଇକୋନୋମିକ୍‌ ଫୋରମ୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ମୋଦି ମଧ୍ୟ ଏଥିପାଇଁ ସମ୍ମତି ଦେଇଛନ୍ତି।

Related story