ପଟିଆଲାର ସନୌରର ସପ୍ତମ ଶ୍ରେଣୀର ଛାତ୍ରୀ ହସ୍ମିତାଙ୍କ ଅଭିଯୋଗ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ହଟାଇ ଦେଇଛନ୍ତି। ସେମାନଙ୍କ ସ୍ଥାନରେ ନୂଆ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସଂପର୍କରେ ପ୍ରଧାନମନ୍ତ୍ରୀ ପତ୍ର ଲେଖି ହସ୍ମିତଙ୍କୁ ଜଣାଇଛନ୍ତି।
ବାସ୍ତବ ଘଟଣାଟି ହେଲା ୧୩ ବର୍ଷୀୟା ହସ୍ମିତା କିଛି ଦିନ ପୂର୍ବେ ନିଜ ପରିବାର ସହ ଦିଲ୍ଲୀ ବୁଲିବାକୁ ଯାଇଥିଲେ। ସେଠାରେ ସେ ରାଜଘାଟସ୍ଥିତ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳକୁ ମଧ୍ୟ ଯାଇଥିଲେ। ତେବେ ସେଠାରେ ସେ ଏକ ଘଟଣା ଦେଖିଲେ ଯାହା ତାଙ୍କୁ ଚିନ୍ତାରେ ପକାଇଦେଲା।
ଘଟଣାଟି ହେଉଛି ଏମିତି। ସେଠାରେ ୨ଟି ଜୋତା ଷ୍ଟାଣ୍ଡ୍ ରହିଛି। ସେଥିରୁ ଗୋଟିଏରେ ଏକ ଟଙ୍କା ନିଆଯାଉଥିବା ବେଳେ ଅନ୍ୟଟି ସମ୍ପୂର୍ଣ୍ଣ ମାଗଣା। ତେବେ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀ ବିଦେଶୀ ପର୍ଯଟକଙ୍କ ନିକଟରୁ ୧୦୦ ଟଙ୍କା ଲେଖାଏଁ ନେଉଥିବା ହାସ୍ମିତା ଦେଖିବାକୁ ପାଇଲେ। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଦେଶୀ ପର୍ଯ୍ୟଟକଙ୍କ ସହ ଏପରି କରିବା ଦ୍ୱାରା ଦେଶର ଛବି ନଷ୍ଟ ହେଉଛି ବୋଲି ସେ ଚିନ୍ତା କଲେ ଓ ଏହାକୁ ରୋକିବା ପାଇଁ କ’ଣ କରିବାକୁ ପଡ଼ିବ ଭାବି ଭାବି ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଲେ।
ଶୁଣି ଆଶ୍ଚର୍ଯ୍ୟ ହେବେ ହାସ୍ମିତାଙ୍କ ପାଖରେ ମୋଦିଙ୍କ ଠିକଣା ନ ଥିଲା। ତେଣୁ ସେ ଏକ ଲଫାପାରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନୂଆଦିଲ୍ଲୀ ଲେଖି ପଠାଇଥିଲେ ଚିଠି। ମାତ୍ର ଏତିକିରେ ଚିଠି ଯାଇ ପହଞ୍ଚିଥିଲା ମୋଦିଙ୍କ ପାଖରେ। ଘଟଣା ସଂପର୍କରେ ଅବଗତ ହେବା ପରେ ପ୍ରଧାନମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଯାଇଥିଲା।
ଏହା ପରେ ମୋଦି ହାସ୍ମିତାଙ୍କୁ ପତ୍ର ଲେଖି ତାଙ୍କୁ ଧନ୍ୟବାଦ୍ ଜଣାଇବା ସହ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ।