ନୂଆଦିଲ୍ଲୀ: ସଦ୍ୟ ଆଇନରେ ପରିଣତ ହୋଇଥିବା ‘ଟ୍ରିପଲ ତଲାକ୍’ ବିଲ୍କୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଛି ଏକ ମୁସଲିମ୍ ସଂଗଠନ। ତତ୍କାଳ ‘ଟ୍ରିପଲ ତଲାକ୍’କୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରିବାର ବ୍ୟବସ୍ଥା କରିଥିବା ଏହି ବିଲ୍କୁ ଅଣସାମ୍ବିଧାନିକ ଦର୍ଶାଇ କେରଳର ସୁନ୍ନି ସମ୍ପ୍ରଦାୟର ଏକ ମୁସଲିମ୍ ସଂଗଠନ ‘ସମସ୍ଥା କେରଳ ଜମାଇତୁଲ ଉଲେମା’ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି।
ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଥିଲା। ଏହି ଆଇନ ଅନୁଯାୟୀ କୌଣସି ଉପାୟରେ ୩ ଥର ତଲାକ୍ କହି ତତ୍କାଳ ଛାଡ଼ପତ୍ର ଦେଲେ, ଅଭିଯୁକ୍ତକୁ ୩ ବର୍ଷ ଯାଏ ଜେଲ ଦଣ୍ଡ ହୋଇପାରିବ। ଏହି ଆବେଦନରେ କୁହାଯାଇଛି ଟ୍ରିପଲ ତଲାକ୍ ବିଲ ବା ମୁସଲିମ୍ ମହିଳା (ବିବାହ ସୁରକ୍ଷା ଆଇନ) ୨୦୧୯ ବିଲ୍କୁ ସୁପ୍ରିମ୍କୋର୍ଟ ଅଣସାମ୍ବିଧାନିକ ବୋଲି କହି ଖାରଜ କରନ୍ତୁ।
ଅନ୍ୟପକ୍ଷରେ ଦିଲ୍ଲୀର ଜଣେ ଓକିଲ ସାହିଦ୍ ଅଲ୍ଲୀ ମଧ୍ୟ ସୁପ୍ରିମ୍କୋର୍ଟରେ ଏହି ବିଲ୍ ବିରୋଧରେ ଆବେଦନ କରିଛନ୍ତି। ସେ ଦର୍ଶାଇଛନ୍ତି ଏହି ବିଲ୍ ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ର ଉଲ୍ଲଂଘନ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।