ନୂଆଦିଲ୍ଲୀ: ଆସନ୍ତା ୧୮ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୧୭ ତାରିଖରେ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଶୀତକାଳୀନ ଅଧିବେଶନ କିଭଳି ସଫଳ ହେବ ଓ କେଉଁ କେଉଁ ପ୍ରସଙ୍ଗ ଉଠିବ ସେ ବାବଦରେ ଏହି ବୈଠକରେ ଆଲୋଚନା ହେବ।
ରାଜ୍ୟସଭା ସଚିବାଳୟର ଜଣେ ବରିଷ୍ଠ ଅଧିକାରୀ ଆଜି କହିଛନ୍ତି, ଆଗାମୀ ସୋମବାର ସଂସଦର ୨୫୦ତମ ଅଧିବେଶନ ବସିବ। ୧୩ ଡିସେମ୍ୱର ଅଧିବେଶନର ଅନ୍ତିମ ଦିବସ ରହିଛି। ୨୬ ନଭେମ୍ୱର ଦେଶର ୭୦ତମ ସମ୍ୱିଧାନ ପ୍ରତିଷ୍ଠା ଦିବସ ରହିଛି। ଏଥିସହ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ବାବଦରେ ଏହି ବୈଠକରେ ଆଲୋଚନା ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସଂସଦର ୨୪୯ତମ ଅଧିବେଶନ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିନା କୌଣସି ଅସୁବିଧାରେ ସୁରୁଖୁରରେ ଚାଲିଥିଲା। ଏମିତିକି ବିଳମ୍ୱିତ ରାତି ଯାଏ ଲୋକସଭା ଚାଲିଥିଲା। ତେଣୁ ଏଥିର ମଧ୍ୟ ଶୀତକାଳୀନ ଅଧିବେଶନ ସୁରୁଖୁରରେ ଚାଲିବ ବୋଲି ଆଶା କରାଯାଉଛି।