ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶକୁ ଅନ୍ତର୍ଜାତୀୟ ସୀମା ଅଲଗା ଅଲଗା ଦେଶରେ ପରିଣତ କରିଛି। ଏପରିକି ଆଜି ଉଭୟ ଦେଶ ପରସ୍ପର ବିପକ୍ଷରେ କ୍ରିକେଟ୍ ମ୍ୟାଚ୍ ଖେଳୁଛନ୍ତି। କିନ୍ତୁ ଜାଣନ୍ତି କି ଉଭୟ ଦେଶ ମଧ୍ୟରେ ଏକ ଅପୂର୍ବ ସଂଯୋଗ ରହିଛି। ମଙ୍ଗଳବାର ଏଜ୍ବାଷ୍ଟନ୍ଠାରେ ଉଭୟ କ୍ରିକେଟ୍ ଦଳର ଖେଳାଳି ଯେତେବେଳେ ଜାତୀୟ ସଂଗୀତ ଗାନ କରିଥିଲେ, ସେତେବେଳେ ଉଭୟ ସଂଗୀତ ପଛର ବିନ୍ଧାଣୀ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ କଥା ସମସ୍ତଙ୍କ ମନକୁ ଆସିଥିଲା।
ଆଜ୍ଞା ହଁ ଏହି ଦୁଇ ଦେଶର ଜାତୀୟ ସଂଗୀତ- ‘ଜନ ଗଣ ମନ ଅଧିନାୟକ ଜୟ ହେ’ ଏବଂ ‘ଆମାର ସୋନାର ବାଙ୍ଗଲା’ ସଂଗୀତର ରଚୟିତା ହେଉଛନ୍ତି ରବୀନ୍ଦ୍ର ନାଥ ଟାଗୋର। ଭାରତ ୧୯୫୦ ଜାନୁଆରୀ ୨୬ରେ ଗଣତାନ୍ତ୍ରିକ ରାଷ୍ଟ୍ର ଘୋଷିତ ହେବାର ୨ ଦିନ ପୂର୍ବରୁ ଅର୍ଥାତ ୨୪ ତାରିଖରେ ‘ଜନଗଣ’କୁ ଜାତୀୟ ସଂଗୀତ ମାନ୍ୟତା ମିଳିଥିଲା। ଏହା ବଙ୍ଗଳା ଭାଷାରେ ରଚିତ ‘ଭାରତ ଭାଗ୍ୟ ବିଧାତାର’ ପ୍ରଥମ ଷ୍ଟାଞ୍ଜା।
ଅନ୍ୟପକ୍ଷରେ ୧୯୦୫ ମସିହାରେ ପ୍ରଥମ ବଙ୍ଗ ବିଭାଜନ ସମୟରେ ‘ଆମାର ସୋନାର ବାଙ୍ଗଲା’ ରଚନା କରିଥିଲେ ରବୀନ୍ଦ୍ରନାଥ ଟାଗୋର। ୧୯୭୧ରେ ପାକିସ୍ତାନ ଠାରୁ ସ୍ୱାଧୀନ ହେବା ପରେ ବାଂଲାଦେଶର ଜାତୀୟ ସଂଗୀତ ମାନ୍ୟତା ପାଇଥିଲା ଏହି ଦେଶାତ୍ମବୋଧକ ଗୀତ। ଯେତେଥର ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ହୁଏ, ରବୀନ୍ଦ୍ରନାଥ ଆପେ ମନେ ପଡ଼ିଯା’ନ୍ତି।