ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନର ସିଧାସଳଖ ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ବିଶେଷ କରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାମ ହରାଇ ଗରିବ ରେଖାର ଆହୁରି ତଳକୁ ଚାଲିଯିବେ। ପ୍ରାୟ ୪୦୦ ମିଲିୟନ ବା ୪୦ କୋଟି ଅସଂଗଠିତ ଶ୍ରମିକ ଲକଡାଉନ ଯୋଗୁ ପରବର୍ତ୍ତୀ ସମୟରେ ବେକାର ହୋଇଯିବେ ବୋଲି ଜାତିସଂଘର ଶ୍ରମିକ ସଂସ୍ଥା ଆକଳନ କରିଛି।
ଅନ୍ୟପକ୍ଷରେ ସିଆଇଆଇ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଲକଡାଉନର ପ୍ରଭାବ ଦେଶର ନିଯୁକ୍ତି କ୍ଷେତ୍ରରେ ପଡ଼ିବ। ଭାରତରେ ଥିବା ୨୦୦ରୁ ଅଧିକ କମ୍ପାନୀଙ୍କ ସହ ଆଲୋଚନା କରି ସିଆଇଆଇ ଏହି ରିପୋର୍ଟ ପ୍ରକାଶ କରିଛି। ସର୍ଭେ ବେଳେ ୫୨% କମ୍ପାନୀର ସିଇଓ କହିଛନ୍ତି ଯେ ଲକଡାଉନ ପରେ ଅନେକ ଲୋକ ଚାକିରି ହରାଇବେ।
୪୭% ସିଇଓ କହିଛନ୍ତି ଯେ ଲକଡାଉନ ଯୋଗୁ ୧୫% ଲୋକ ଚାକିରି ହରାଇ ପାରନ୍ତି। ସେହିପରି ୩୨% ସିଇଓ କହିଛନ୍ତି ଯେ ଲକଡାଉନ ଯୋଗୁ ୧୫%ରୁ ୩୦% ଲୋକ ଚାକିରି ହରାପାରନ୍ତି। ସିଆଇଏଏ ଉଭୟ ପ୍ରାଇଭେଟ ଓ ପବ୍ଲିକ ସେକ୍ଟର କମ୍ପାନୀମାନଙ୍କ ସିଇଓଙ୍କୁ ଯୋଗାଯୋଗ କରି ରିପୋର୍ଟ ପ୍ରସ୍ତୁତ କରିଛି।
ସର୍ଭେ ବେଳେ ଏକାଧିକ ସିଇଓ କହିଛନ୍ତି ଯେ ଲକଡାଉନ ଯୋଗୁ କମ୍ପାନୀଗୁଡ଼ିକ ନିଜସ୍ୱ ରାଜସ୍ୱ ପ୍ରାୟ ୧୦%ରୁ ଅଧିକ ହରାଇବେ। ସେହିପରି ଏପ୍ରିଲ-ଜୁନ ମଧ୍ୟରେ କମ୍ପାନୀର ଲାଭ ୫%ରୁ ଅଧିକ ହ୍ରାସ ପାଇବ।
ଜାତିସଂଘର ଶ୍ରମିକ ସଂସ୍ଥା କହିଛି, ଭାରତରେ ୯୦% ଲୋକ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ କୋଟି ଲୋକ ଲକଡାଉନ ଯୋଗୁ ନିଯୁକ୍ତି ହରାଇ ଆହୁରି ଗରିବ ରେଖା ତଳକୁ ଚାଲିଯିବେ। ସେହିପରି ବିଶ୍ୱରେ ପ୍ରାୟ ୧୯୫ ମିଲିୟନ ନିଯୁକ୍ତି ଲକଡାଉନ ଯୋଗୁ କାଟ ହେବ। ଆରବରେ ୮.୧%, ୟୁରୋପରେ ୭.୮% ଓ ଏସିଆରେ ୭.୨% ଲୋକ ଚାକିରି ହରାଇ ପାରନ୍ତି।