ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସ କନ୍ଦଳ

ନୂଆଦିଲ୍ଲୀ: ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳୀୟ ନେତା ଚିଠି ଲେଖିବା ଘଟଣାରେ କଂଗ୍ରେସ ତାଳି ପକାଇବାକୁ ଚେଷ୍ଟା କରୁଥିଲେ ହେଁ ଏହା ଏଯାଏ ଠିକଠାକ ହୋଇପାରୁନାହିଁ। ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳୀୟ ନେତା ଚିଠି ଲେଖିବା ପରେ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଡକାଇ ଯାଇ ଏଥିରେ ତାଳି ପକାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏବେ ପୁଣିଥରେ ଦଳୀୟ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଆରମ୍ଭ ହୋଇଛି। ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ନେତାଙ୍କ […]

s

Hemant Lenka
  • Published: Thursday, 27 August 2020
  • , Updated: 27 August 2020, 03:36 PM IST

ନୂଆଦିଲ୍ଲୀ: ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳୀୟ ନେତା ଚିଠି ଲେଖିବା ଘଟଣାରେ କଂଗ୍ରେସ ତାଳି ପକାଇବାକୁ ଚେଷ୍ଟା କରୁଥିଲେ ହେଁ ଏହା ଏଯାଏ ଠିକଠାକ ହୋଇପାରୁନାହିଁ। ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳୀୟ ନେତା ଚିଠି ଲେଖିବା ପରେ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଡକାଇ ଯାଇ ଏଥିରେ ତାଳି ପକାଇବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏବେ ପୁଣିଥରେ ଦଳୀୟ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଆରମ୍ଭ ହୋଇଛି।

ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ତର ପ୍ରଦେଶ କଂଗ୍ରେସର ଗୋଟିଏ ୟୁନିଟ ଦାବି କରିଛି। ବିଶେଷ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୀତିନ ପ୍ରସାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି ଉପସ୍ଥାପନ କରିଛନ୍ତି।

ତେବେ ଖୋଲାଖୋଲି ଭାବେ ଜୀତିନଙ୍କ ବିରୋଧରେ ଦଳୀୟ ନେତାଙ୍କ ବିରୋଧ ପ୍ରଦର୍ଶନକୁ ବରିଷ୍ଠ ନେତା କପିଲ ଶିବଲ ତୀବ୍ର ସମାଲୋଚନା କରିଛନ୍ତି। କପିଲ ଶିବଲ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ସଂକ୍ରାନ୍ତରେ ସୋନିଆ ଗାନ୍ଧିଙ୍କୁ ଲେଖାଯାଇଥିବା ଚିଠିରେ ଦସ୍ତଖତ କରିଥିଲେ।

ସେ କହିଛନ୍ତି, ୟୁପି କଂଗ୍ରେସ ପକ୍ଷରୁ ଜୀତିନ ପ୍ରସାଦଙ୍କୁ ବିଧିବଦ୍ଧ ଭାବେ ବିରୋଧ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୟୁପି କଂଗ୍ରେସ ପକ୍ଷରୁ ବିଜେପିକୁ ସର୍ଜିକାଲ ଷ୍ଟ୍ରାଇକ ଜରିଆରେ ଟାର୍ଗେଟ କରାଯିବା ବଦଳରେ ନେତାମାନେ ନିଜ ଦଳର ଲୋକଙ୍କୁ ସମାଲୋଚନା କରି ଶକ୍ତି ଅପଚୟନ କରୁଛନ୍ତି ବୋଲି ସେ କହିଛନ୍ତି।

ନିକଟରେ ଦଳର ୨୩ ଜଣ ନେତା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଦୃଢ଼ ନେତୃତ୍ୱ ସପକ୍ଷରେ ମତ ଦେବା ସହ ନେତୃତ୍ୱ ବଦଳାଇବାକୁ ଦାବି କରିଥିଲେ। ଏବେ ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ମୀପୁର ଖେରି ଜିଲ୍ଲାର କଂଗ୍ରେସ ୟୁନିଟ ସମସ୍ତ ୨୩ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି।

ଏଥିରେ ଜୀତିନ ପ୍ରସାଦଙ୍କ ନାଁକୁ ଉଲ୍ଲେଖ ମଧ୍ୟ କରାଯାଇଛି। ପ୍ରସାଦ ୨୦୦୯ରେ ଦୌରାହର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ଏହା ଲକ୍ଷ୍ମୀପୁର ଖେରି ମଧ୍ୟରେ ଆସୁଛି। ଚିଠିରେ କୁହାଯାଇଛି ଯେ ଜୀତିନ ପ୍ରସାଦ ଉତ୍ତର ପ୍ରଦେଶର ଏକମାତ୍ର ବ୍ୟକ୍ତି ଯିଏ ଏହି ନେତୃତ୍ୱ ପରିବର୍ତ୍ତନ ଚିଠିରେ ଦସ୍ତଖତ କରିଥିଲେ।

ତାଙ୍କ ପରିବାରର ଇତିହାସକୁ ଦେଖିଲେ ସେମାନେ ଗାନ୍ଧି ପରିବାରର ବିରୋଧୀ ବୋଲି ସ୍ପଷ୍ଟ ହେଉଛି। ତାଙ୍କ ବାପା ଜିତେନ୍ଦ୍ର ପ୍ରସାଦ ନିଜେ ସୋନିଆ ଗାନ୍ଧିଙ୍କ ବିରୋଧରେ ଲଢ଼େଇ କରିଥିଲେ। ଏହା ସତ୍ତ୍ୱେ ସୋନିଆ ଗାନ୍ଧି ସବୁ କିଛି ଭୁଲି ଜୀତିନ ପ୍ରସାଦଙ୍କୁ ଲୋକସଭା ଟିକେଟ ଦେବା ସହ ମନ୍ତ୍ରୀ ମଧ୍ୟ କରିଥିଲେ।

ସେ ଏବେ ଯାହା କରିଛନ୍ତି, ତା’ହା ଆଦୌ ଠିକ ନୁହେଁ। ତେଣୁ ଜିଲ୍ଲା କଂଗ୍ରେସ କମିଟି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛି। ଜିଲ୍ଲା ନେତାଙ୍କ ଏଭଳି ପଦକ୍ଷେପ ପରେ କଂଗ୍ରେସରେ ଥିବା ଅନ୍ତଃକନ୍ଦଳ ତୀବ୍ର ହୋଇଛି।

Related story