ଲକ୍ଷ୍ନୌ: ଘରେ ମଦ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବଡ ଘୋଷଣା। ଘରେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ମଦ ରଖିବା ପାଇଁ ନୂଆ ଅବକାରୀ ନୀତି ଘୋଷଣା ହୋଇଛି। ଏହି ନୂଆ ଆଇନ ଅନୁସାରେ ଏଣିକି ଘରେ ଆଉ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମଦ ରଖିହେବ ନାହିଁ। ଏନେଇ ଆଜି ଉତ୍ତରପ୍ରେଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଘରେ ଅଧିକ ପରିମାଣର ମଦ ରଖିବାକୁ ଚାହୁଁଥିଲେ ଲାଇସେନ୍ସ ନେବାକୁ ପଡିବ ଏଥିସହ ବର୍ଷକୁ ୧୨ ହଜାର ଟଙ୍କା ମଧ୍ୟ ଦେବାକୁ ପଡିବ । କେବଳ ସେତିକି ନୁହେଁ ସିକ୍ୟୁରିଟି ବାବଦକୁ ଅବକାରୀ ବିଭାଗରେ ୫୧ ହଜାର ଟଙ୍କା ମଧ୍ୟ ଜମା କରିବାକୁ ପଡିବ।
ଯେଉଁ ବ୍ୟକ୍ତି ବିଗତ ୫ ବର୍ଷ ଭିତରେ ଇନକମ ଟ୍ୟାକ୍ସ ପୈଠ କରିଥିବେ ସେହି ବ୍ୟକ୍ତିଙ୍କୁ ହିଁ ଏହି ଲାଇସେନ୍ସ ମିଳିବ। ଲାଇସେନ୍ସ ଆବେଦନ କରିବା ସମୟରେ ଇନକମ ଟ୍ୟାକ୍ସ ପୈଠ କରିଥିବା ନେଇ ରିସିଟ ଦେଖାଇବାକୁ ପଡିବ। ଏଥିସହ ଆଧାର କାର୍ଡ ଓ ପାନ କାର୍ଡର କପି ମଧ୍ୟ ଜମା କରିବାକୁ ପଡିବ। କେବଳ ସେତିକି ନୁହେଁ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଘରେ କେବଳ ମଦ ହିଁ ରଖିପାରିବେ, ଏହା ଛଡା ଅନ୍ୟ କୌଣସି ନିଶା ଦ୍ରବ୍ୟ ରଖିପାରିବେ ନାହିଁ ବୋଲି ନୂଆ ନିୟମରେ କୁହାଯାଇଛି।
ଉତ୍ତରପ୍ରଦେଶରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ି ଚାଲିଛି । ରାଜ୍ୟରେ ବେଆଇନ ମଦ କାରବାର ଯୋଗୁଁ ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ଘଟୁଛି। ଏହାକୁ ରୋକିବା ପାଇଁ ୟୁପି ସରକାର ଏଭଳି ନୂଆ ନିୟମ ଜାରି କରିଛନ୍ତି।