ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରାତିରେ ଟ୍ରେନ୍ରେ ଯିବାବେଳେ ବିନା ବାଧାରେ ଆପଣ ଶୋଇକି ଯାଇପାରିବେ। ଆପଣଙ୍କ ସୁଖନିଦ୍ରାରେ ବାଧା ଦେବାକୁ ଆସିବେନି ଟିଟିଇ। ଭାରତୀୟ ରେଳ ବିଭାଗ ଏଥିନେଇ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ନୂଆ ଗାଇଡଲାଇନ ଅନୁଯାୟୀ, ରାତିରେ ସଂରକ୍ଷିତ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନିଦରୁ ଉଠାଇ ଟିକେଟ ଯାଞ୍ଚ କରିପାରିବେ ନାହିଁ ଟିଟିଇ। ରାତି ସମୟରେ ଯାତ୍ରୀଙ୍କୁ ନିଦରୁ ଉଠାଇ ଟିକେଟ ଯାଞ୍ଚ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି। ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ଟିଟିଇ ଏହି ନୂଆ ଗାଇଡଲାଇନକୁ ପାଳନ କରିବେ। ତେବେ ଯଦି ଟ୍ରେନ ରାତି ସମୟରେ ଯାତ୍ରା ଆରମ୍ଭ କରେ କିମ୍ବା କୌଣସି ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବାର ସନ୍ଦେହ ହୁଏ ତେବେ ଭିଜିଲାନ୍ସ ବିଭାଗ ଦ୍ୱାରା ଟିକେଟ ଯାଞ୍ଚ କରିପାରିବେ।
ନୂଆ ନିୟମ ଅନୁଯାୟୀ, ଯେଉଁ ଷ୍ଟେସନରୁ ଟ୍ରେନ ଯାତ୍ରା ଆରମ୍ଭ କରିବାକୁ ଥିବ ସେହି ଷ୍ଟେସନରେ ଟିଟିଇ ଏକ ଘଣ୍ଟା ପୂର୍ବରୁ ଓ ଡ୍ୟୁଟି ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଉପସ୍ଥିତ ରହିବା ଅପରିହାର୍ଯ୍ୟ। ଏହା ସହିତ ସଂରକ୍ଷଣ ବଗିରେ ଅଧିକ ଲୋକ ଯାତ୍ରା କରୁଥିଲେ ଏହାର ଅଭିଯୋଗ କରିପାରିବେ ଯାତ୍ରୀ। ଏହା ସହ ଯେତିକି ସିଟ୍ ପାଇଁ ଟିକେଟ କଟାଯାଇଛି ସେତିକି ଯାତ୍ରୀ ବଗିରେ ଯାତ୍ରା କରୁଛନ୍ତି କି ନାହିଁ ତାର ଉତ୍ତର ମଧ୍ୟ ଟିଟିଇଙ୍କୁ ଦେବାକୁ ପଡିବ। ରାତି ସମୟରେ (୧୦ଟାରୁ ସକାଳ ୬ଟା) ସଂରକ୍ଷିତ ବଗିର ଦୁଇପାର୍ଶ୍ୱ ଦ୍ୱାର ବନ୍ଦ ରଖିବା ସହ ଅଭିଯୋଗ ପାଇଁ ଉଦ୍ଦିଷ୍ଟ ଫର୍ମ ଟିଟିଇ ନିଜ ପାଖରେ ରଖିବେ।
ନୂଆ ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ଯାତ୍ରୀ ଟ୍ରେନରେ ମିଳୁଥିବା ଖାଦ୍ୟକୁ ନେଇ ଅଭିଯୋଗ କରନ୍ତି ତେବେ ଟିଟିଇଙ୍କୁ ଏହାର ଉତ୍ତର ଦେବାକୁ ପଡିବ। ଏଥିସହିତ ଯାତ୍ରୀଙ୍କୁ କିପରି ଭଲ ଖାଦ୍ୟ ମିଳିପାରିବ ତାର ମଧ୍ୟ ବ୍ୟବସ୍ଥା କରିବେ ଟିଟିଇ।