ନୂଆଦିଲ୍ଲୀ: ୨୦୧୨ ମସିହା ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀ ଅକ୍ଷୟ ସିଂହ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ତିହାର ଜେଲ ଡିଜି ସନ୍ଦୀପ ଗୋୟେଲ ଏହି ସୂଚନା ଦେଇଛନ୍ତି। ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେବାର କିଛି ସମୟ ପରେ ଅକ୍ଷୟ ତରଫରୁ ରାଜକ୍ଷମା ପାଇଁ ଆବେଦନ କରାଯାଇଛି।
ଆଜି ଅକ୍ଷୟ ଠାକୁର ଏବଂ ଅନ୍ୟ ତିନି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବାର ଥିଲା। ହେଲେ ଶୁକ୍ରବାର ଦିଲ୍ଲୀର ପଟିଆଲା କୋର୍ଟ ଫାଶୀ ତାରିଖକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଘୁଞ୍ଚାଇ ଦେଇଛନ୍ତି।
ପୂର୍ବରୁ ନିର୍ଭୟା ଘଟଣାର ଦୋଷୀ ମୁକେଶ ସିଂହ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହାକୁ ରାଷ୍ଟ୍ରପତି ଏହାକୁ ଖାରଜ କରିଥିଲେ। ସେହିପରି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ହେଲେ ଏହାକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ଏବେ ମୁକେଶ ପାଖରେ ଫାଶୀରୁ ବର୍ତ୍ତିବା ପାଇଁ ଆଉ କୌଣସି ଆଇନଗତ ମାଧ୍ୟମ ନାହିଁ। ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ ହୋଇଥିବାରୁ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବ। ଏବେ ଦୋଷୀ ଅକ୍ଷୟ ସିଂହ ଠାକୁର ରାଜକ୍ଷମା ଆବେଦନ କରିଛି। ହେଲେ ପବନ ଗୁପ୍ତା ପାଖରେ ଏବେ ଫାଶୀକୁ ଚ୍ୟାଲେଞ୍ଜ କରିବାକୁ ଏକାଧିକ ଆଇନଗତ ମାଧ୍ୟମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।