ଆତ୍ମନିର୍ଭର ଭାରତ ଅଭିଯାନ: ଏମଏସଏମଇକୁ ୩ ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ: କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜରେ କାହା ପାଇଁ କ’ଣ ବ୍ୟବସ୍ଥା ହୋଇଛି, ସେ ବିଷୟରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ କ୍ଷୁଦ୍ର, ମଧ୍ୟମ ଓ କୂଟୀର ଶିଳ୍ପ ସଂସ୍ଥା ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। ଏହି ଉଦ୍ୟୋଗୀଙ୍କ ପାଇଁ ଆଜି ୩ ଲକ୍ଷ କୋଟି ଟଙ୍କାର ଋଣ ନେବାର ବ୍ୟବସ୍ଥା କରାଯାଇଛି। ଭାରତକୁ ଆତ୍ମନିର୍ଭର କରିବା […]

sitaraman

Hemant Lenka
  • Published: Wednesday, 13 May 2020
  • , Updated: 13 May 2020, 05:13 PM IST

ନୂଆଦିଲ୍ଲୀ: କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜରେ କାହା ପାଇଁ କ’ଣ ବ୍ୟବସ୍ଥା ହୋଇଛି, ସେ ବିଷୟରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ କ୍ଷୁଦ୍ର, ମଧ୍ୟମ ଓ କୂଟୀର ଶିଳ୍ପ ସଂସ୍ଥା ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। ଏହି ଉଦ୍ୟୋଗୀଙ୍କ ପାଇଁ ଆଜି ୩ ଲକ୍ଷ କୋଟି ଟଙ୍କାର ଋଣ ନେବାର ବ୍ୟବସ୍ଥା କରାଯାଇଛି।

ଭାରତକୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିବା ସୀତାରମଣ ଦୋହରାଇଛନ୍ତି। ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ଏହାପରେ ପ୍ୟାକେଜ ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇଥିଲେ। ତାଙ୍କ ଘୋଷଣା ଅନୁଯାୟୀ, ଏମଏସଏମଇ ସହ ଜଡ଼ିତ ବ୍ୟବସାୟୀମାନଙ୍କୁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାର ବ୍ୟବସ୍ଥା କରାଯାଇଛି। ଏହି କ୍ଷେତ୍ର ସହ ୧୨ କୋଟି ଲୋକ ଜଡ଼ିତ ରହିଛନ୍ତି। ଏହି ଋଣ ବ୍ୟବସ୍ଥା ଅଟୋମେଟିକ ସିଷ୍ଟମରେ ହେବ। ଏହି ଋଣ ପାଇଁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡ଼ିବ ନାହିଁ। ଯେଉଁ ଉଦ୍ୟୋଗ ଗୁଡ଼ିକ ବାର୍ଷିକ ଶହେ କୋଟି ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରୁଥିବେ, ସେମାନେ ଏହାଦ୍ୱାରା ଲାଭବାନ ହେବେ। ୪ ବର୍ଷ ପାଇଁ ଏହି ଋଣ ଦିଆଯିବ। ଏମଏସଏମଇ ଉଦ୍ୟୋଗୀଙ୍କୁ ବର୍ଷେ ଯାଏ ଇଏମଆଇ ଦେବାକୁ ପଡ଼ିବ ନାହିଁ।

ଯେଉଁ ଉଦ୍ୟୋଗୀମାନେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଫଣ୍ଡ ଅଫ ଫଣ୍ଡ୍ସ ବ୍ୟବସ୍ଥା ହେବ। ଏହା ଅଧୀନରେ ୫୦ ହଜାର କୋଟି ଟଙ୍କାର ଇକ୍ୟୁଇଟି ଇନଫ୍ୟୁଜନର ବ୍ୟବସ୍ଥା ହେବ। ଏହାଦ୍ୱାରା ଏମଏସଏମ ଉଦ୍ୟୋଗକୁ ସଂପ୍ରସାରଣ କରିବାକୁ ଚାହୁଁଥିବା ଲୋକମାନେ ଲାଭ ଉଠାଇ ପାରିବେ।

୩ ମାସ ଯାଏ ବ୍ୟବସାୟ ଓ କର୍ମଚାରୀଙ୍କ ଇପିଏଫ ପାଇଁ ୨୫ ହଜାର କୋଟିର ସହାୟତା ଯୋଗାଇ ଦିଆଯିବ। ଚାପରେ ଥିବା ଏମଏସଏମଇ ପାଇଁ ୨୦ ହଜାର କୋଟିର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ୨ ଲକ୍ଷରୁ ଅଧିକ ଏମଏସଏମ ଉଦ୍ୟୋଗୀ ଫାଇଦା ପାଇବେ। ମାଇକ୍ରୋ ଫାଇନ୍ସ ସେକ୍ଟରକୁ ୩୦ ହଜାର କୋଟି ଟଙ୍କା ଦିଆଯିବ।

ସେ ପ୍ରଥମେ ତାମିଲ, ତେଲୁଗୁ, ମାଲାଲିୟମ ଓ କନ୍ନଡ ଭାଷରେ ଆତ୍ମନିର୍ଭର ଭାରତ ଯୋଜନାକୁ  କ’ଣ କୁହାଯାଏ, ସେକଥା କହିଥିଲେ। ସବୁ ପକ୍ଷ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ସିଧାସଳଖ ଫାଇଦା ଦେବା ପାଇଁ ଏହି ପ୍ୟାକେଜରେ ବ୍ୟବସ୍ଥା କରାଯାଇଛି।

ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଉଜ୍ଜଳା ଓ ଜନଧନ ଯୋଜନା ଦ୍ୱାରା ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହି ପ୍ୟାକେଜ ଦ୍ୱାରା ଚାଷୀଙ୍କ ଠାରୁ ଶ୍ରିମକମାନେ ମଧ୍ୟ ଫାଇଦା ପାଇବେ। ପୂର୍ବରୁ ଘୋଷଣା ହୋଇଥିବା ଗରିବ ଜନ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିଲା। ଏହି ଯୋଜନା ଅନୁସାରେ ୪୧ କୋଟି ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କ ପାଖକୁ ଟଙ୍କା ଯାଇଛି।

 

Related story