ପାଟନା: ବିଜେପି ପାଇଁ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ବିଦ୍ରୋହ ସୃଷ୍ଟି ହୋଇଛି। ସ୍ଥିତି ଏପରି ଉପୁଜିଛି ଯେ ନୀତୀଶ କୁମାର ଦଳର ବରିଷ୍ଠ ନେତା ତଥା ଘନିଷ୍ଠ ସହଯୋଗୀ ପବନ ବର୍ମାଙ୍କୁ ଦଳ ଛାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ପବନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅସଲ ମୁଖା ଖୋଲି ଦେବାରୁ ସେ ଏଥିରେ ରାଗି ଯାଇଛନ୍ତି।
ଆସନ୍ତା ଫେବୃଆରୀ ୮ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ଏକାଠି ଲଢ଼ିବେ। ତେବେ ବିଜେପି ସହ ମେଣ୍ଟ କରିବା ନେଇ ପବନ ପ୍ରଶ୍ନ ଉଠାଇଥିଲେ। ସେ ନିଜର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ ବିବାଦୀୟ ସିଏଏ ଓ ଏନଆରସିକୁ ନେଇ ସାରା ଦେଶରେ ବିଜେପି ବିରୋଧରେ ଲୋକେ ଏକାଠି ହେଉଛନ୍ତି। ଜେଡିୟୁ ବି ସିଏଏ ଓ ଏନଆରସିକୁ ବିରୋଧ କରୁଛି। ଏପରି ସ୍ଥିତିରେ ଜେଡିୟୁ କେମିତି ବିଜେପି ସହ ମିଶି ଦିଲ୍ଲୀରେ ନିର୍ବାଚନ ଲଢ଼ିବାକୁ ରାଜି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାର ଜବାବ ଦେଇ ନୀତୀଶ କୁମାର କହିଛନ୍ତି, “ଯାହାକୁ ଦଳ ଛାଡ଼ିବାର ଅଛି, ସିଏ ଦଳ ଛାଡ଼ି ଦିଅନ୍ତୁ। କିଛି ଲୋକଙ୍କ ବୟାନକୁ ଆପଣମାନେ ଜେଡିୟୁର ବୟାନ ଭାବେ ବିଚାର କରନ୍ତୁ ନାହିଁ। ଜେଡିୟୁ ସର୍ବଦା ଲୋକଙ୍କ ସହ ମିଶି କାମ କରୁଛି। କିଛି କଥାରେ ଆମ ମାନଙ୍କର ଷ୍ଟାଣ୍ଡ ସ୍ପଷ୍ଟ ରହିଛି। ଗୋଟିଏ କଥାକୁ କେବେ ହେଲେ ଦ୍ୱନ୍ଦ୍ୱ ମଧ୍ୟରେ ରଖିବା ଠିକ ନୁହେଁ।
ଯଦି କାହାର କୌଣସି ଅସୁବିଧା ରହିଛି, ତା’ହେଲେ ସଂପୃକ୍ତ ବ୍ୟକ୍ତି ଦଳ ବୈଠକ ସମୟରେ ଏହାକୁ ଉଠାଇ ପାରିବେ। କିନ୍ତୁ ଏଭଳି ସର୍ବସମ୍ମୁଖରେ ବୟାନ ଦେବା ଆଶ୍ଚର୍ଯ୍ୟ କରୁଛି। ସେ ଯଦି ଚାହୁଁଛନ୍ତି, ତା’ହେଲେ ତାଙ୍କ ଇଚ୍ଛା ଅନୁସାରେ ଯେ କୌଣସି ଦଳରେ ଯୋଗଦେଇ ପାରିବେ। ତାଙ୍କ ମୁଁ ଶୁଭେଚ୍ଛା ଜଣାଉଛି।”
ଦିଲ୍ଲୀ ବିଧାନସଭାରେ ଜେଡିୟୁ –ବିଜେପି ସହ ମେଣ୍ଟ କରିବାରୁ ଏହା ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ପବନ କୁମାର ବର୍ମା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଥିଲେ। ଏଥିସହ ୨୦୧୭ରେ ନୀତୀଶ କୁମାର ଓ ପବନ ବର୍ମା ବ୍ୟକ୍ତିଗତ ଭାବେ ଏକ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଏ ସମ୍ପର୍କରେ ମଧ୍ୟ ପବନ ଚିଠିରେ ଖୁଲାସା କରିଛନ୍ତି। ସେ କହିଛନ୍ତି, “ଆପଣ ନିଜେ ବିଜେପିକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ। ବିଜେପିର ବର୍ତ୍ତମାନ ନେତୃତ୍ୱ ନେଉଥିବା ନେତାମାନେ ଆପଣଙ୍କୁ କେମିତି ଅପମାନିତ କରିଥିଲେ ସେକଥା ଆପଣ ମୋତେ କହିଥିଲେ। ଆପଣ କହିଥିଲେ ଯେ ବିଜେପି ଦେଶକୁ ଏକ ନକାରାତ୍ମ ପରିସ୍ଥିତି ମଧ୍ୟକୁ ନେଇ ଯାଉଛି। ସଂସ୍ଥାଗୁଡ଼ିକୁ ଶେଷ କରିବାକୁ ବସିଛି।
ଏବେ ଏକ ଧର୍ମନିରପେକ୍ଷ ଓ ଲୋକତାନ୍ତ୍ରିକ ଶକ୍ତି ଗଠନ ହେବା ଦରକାର। ଆପଣ ଦଳର ବରିଷ୍ଠ ନେତାଙ୍କୁ ଏହାର ଦାୟିତ୍ୱ ମଧ୍ୟ ଦେଇଥିଲେ। ହେଲେ ଏବେ ଆପଣ କେମିତି ବିଜେପି ସହ ମେଣ୍ଟ କରିବାକୁ ଆଗେଇ ଆସିଛନ୍ତି?”