ନୂଆଦିଲ୍ଲୀ: ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାୟ ଆସିବା ପରେ ଦୀର୍ଘ ଦିନର ବିବାଦରେ ଅନ୍ତ ଘଟିଛି। ଏହା ଅଯୋଧ୍ୟା ସହରବାସୀଙ୍କୁ ଆଶ୍ୱସ୍ତ କରିବା ସହ ସମଗ୍ର ଭାରତ ବର୍ଷ ପାଇଁ ଗ୍ରହଣୀୟ ହୋଇପାରିଛି।
ଲୋକଙ୍କ ଧାର୍ମିକ ଭାବନା, ପ୍ରସଙ୍ଗର ସମ୍ବେଦନଶୀଳନତା ଏବଂ କୌଣସି ହିଂସାକୁ ଆଖି ଆଗରେ ରଖି ଏହି ରାୟ ପୂର୍ବରୁ ସାରା ଦେଶରେ କଡ଼ା ସୁରକ୍ଷା ଗ୍ରହଣ କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ସୁପ୍ରିମ୍କୋର୍ଟଙ୍କର ଏହି ନିର୍ଦ୍ଦେଶ ପରେ କୌଣସି ଧାର୍ମିକ ହିଂସା ଏବଂ ଅଶାନ୍ତି ଦେଖିବାକୁ ମିଳିନି। ବିନା କୌଣସି ଶୋଭାଯାତ୍ରା ଏବଂ ବାଣଫୁଟାରେ ସମସ୍ତେ ଶାନ୍ତିର ସହ ଏହି ରାୟକୁ ସ୍ୱାଗତ କରିଛନ୍ତି।
ସୁପ୍ରିମ୍କୋର୍ଟ ଶନିବାର ଅଯୋଧ୍ୟା ପ୍ରସଙ୍ଗରେ ରାୟ ଦେଇ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିବା ସହ ମସଜିଦ୍ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦିଆଯିବ ବୋଲି କହିଛନ୍ତି। ଏହା ପରେ ଯଦିଓ କିଛି ମନ୍ଦିରରେ ଜୟ ଶ୍ରୀରାମ ନାରା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି, କୌଣସି ବଡ଼ ଉତ୍ସବ ବା ସ୍ୱାଗତ ଦେଖିବାକୁ ମିଳିନି। କିନ୍ତୁ ବେଶ୍ କିଛି ସ୍ଥାନରେ ଏହାକୁ ନେଇ ଆଲୋଚନା ଦେଖିବାକୁ ମିଳୁଛି।
ରାୟ ଆସିବା ପୂର୍ବରୁ କଡ଼ା ସୁରକ୍ଷା ତ ନିଶ୍ଚୟ ଶାନ୍ତ ପରିବେଶ ବଜାୟ ରଖିବାରେ ବଡ଼ ଭୂମିକା ନେଇଛି। ଏଥିସହ ବିଭିନ୍ନ ଅନୁଷ୍ଠାନ, ଧାର୍ମିକ ନେତା ଏବଂ ରାଜନୀତିକ ବ୍ୟକ୍ତିମାନଙ୍କର ଆହ୍ୱାନ ଶାନ୍ତି ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ନେଇପାରିଛି। କୌଣସି ଉତ୍ସବରୁ ବିରତ ରହିବା ଏବଂ ସଦ୍ଭାବନା ବଜାୟ ରଖିବାକୁ ଏମାନଙ୍କ ଆହ୍ୱାନ ଆଇନ ଶୃଙ୍ଖଳା ଓ ଶାନ୍ତି ବଜାୟ ରଖିବାରେ ସହାୟକ ହୋଇଛି।
ରାମ ଜନ୍ମଭୂମି କୁହାଯାଉଥିବା ଅଯୋଧ୍ୟାରେ ମଧ୍ୟ ଶାନ୍ତ ପରିବେଶ ଦେଖିବାକୁ ମିଳିଛି। ଏପରିକି ଦେଶର ରାଜଧାନୀ ଏବଂ ଅନ୍ୟ ପ୍ରାନ୍ତରେ ମଧ୍ୟ ସ୍ଥିତି ସମାନ ରହିଛି। ଯଦିଓ ଅଯୋଧ୍ୟା ଲୋକେ ରାୟକୁ ସମର୍ଥନ ଜଣାଇଛନ୍ତି, ସେମାନେ କୌଣସି ବଡ଼ ଉତ୍ସବ ପାଳିନାହାନ୍ତି। ଏହି ସହରର ପ୍ରତିଟି ଗଳି କନ୍ଦିରେ ବର୍ତ୍ତମାନ ସୁରକ୍ଷା କଡ଼ାକଡ଼ି ରହିଛି।
ଅଯୋଧ୍ୟା ଡିଭିଜିନାଲ କମିଶନର ମନୋଜ ମିଶ୍ର, ଆଇଜି ସଞ୍ଜୀବ ଗୁପ୍ତା, ମାଜିଷ୍ଟ୍ରେଟ୍ ଅନୁଜ ଝା ଏବଂ ଏସ୍ପି ଆଶିଷ ତିୱାରୀ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ସର୍ଭେ କରିଛନ୍ତି। ଅଯୋଧ୍ୟାର କିଛି ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପୂଜା ବଦଳରେ କେବଳ ସାଧାରଣ ହୋମ ହେବାର ଅଛି। ଦିଲ୍ଲୀରେ ମଧ୍ୟ କଡ଼ା ସୁରକ୍ଷା କରାଯାଇଛି ଏବଂ ଡ୍ରୋନ୍ ଯୋଗେ ସୁରକ୍ଷା ସମୀକ୍ଷା କରାଯାଉଛି। ଦିଲ୍ଲୀର ଜାମା ମସଜିଦ୍ ନିକଟରେ ଚା’ ବିକ୍ରି କରୁଥିବା ନୱାଜୁଦ୍ଦିନ୍ ଆବ୍ବାସ୍ କହିଛନ୍ତି, “ମୁସଲିମ୍ମାନେ ବୁଝିଛନ୍ତି ଅଯୋଧ୍ୟା ପ୍ରସଙ୍ଗ ନିର୍ବାଚନ ଜିତିବା ପାଇଁ ବ୍ୟବହାର ହୋଇ ଆସିଛି। ବର୍ତ୍ତମାନ ଏହାର ସମାଧାନ ହୋଇଯିବା ପରେ ଏହାକୁ ନେଇ ଆଉ ରାଜନୀତି ଠିକ୍ ନୁହେଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।