ବୋରିଶ ମନା କଲେ, ଏବେ କ'ଣ କରିବେ ସରକାର?

ଲଣ୍ଡନ: ଦୀର୍ଘ ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ବ୍ରିଟେନ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଦିବସରେ ଯୋଗ ଦେବାର ଥିଲା। ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ୧୯୯୩ରେ ଜୋନ୍ ମେଜର ଅନ୍ତିମ ଥର ପାଇଁ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ। ଚଳିତବର୍ଷ ସେ ଏହି ଅବସରରେ ଯୋଗ ଦେବେ ବୋଲି ପ୍ରଥମେ କିନ୍ତୁ କହିଥିଲେ। କୋଭିଡ୍ ପାଇଁ ବୋରିଶ୍ ଭାରତ ଗସ୍ତ ବାତିଲ୍ କରିଥିବା ସୂଚନା […]

delhi-parade

delhi-parade

Subhransu Sekhar
  • Published: Thursday, 07 January 2021
  • Updated: 07 January 2021, 02:18 PM IST

ଲଣ୍ଡନ: ଦୀର୍ଘ ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ବ୍ରିଟେନ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଦିବସରେ ଯୋଗ ଦେବାର ଥିଲା। ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ୧୯୯୩ରେ ଜୋନ୍ ମେଜର ଅନ୍ତିମ ଥର ପାଇଁ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ। ଚଳିତବର୍ଷ ସେ ଏହି ଅବସରରେ ଯୋଗ ଦେବେ ବୋଲି ପ୍ରଥମେ କିନ୍ତୁ କହିଥିଲେ। କୋଭିଡ୍ ପାଇଁ ବୋରିଶ୍ ଭାରତ ଗସ୍ତ ବାତିଲ୍ କରିଥିବା ସୂଚନା ରହିଛି। କରୋନାର ନୂଆ ଷ୍ଟ୍ରେନ୍ ପାଇଁ ବ୍ରିଟେନରେ ଲକଡାଉନ୍ ଲାଗୁ ହୋଇଛି। ତେଣୁ ବୋରିଶ ଭାରତ ଗସ୍ତ ବାତିଲ୍ କରିଛନ୍ତି। ହାତରେ ଅଳ୍ପ ଦିନ ଥିବା ବେଳେ ଏବେ କେନ୍ଦ୍ର ସରକାର ବିକଳ୍ପ ଅତିଥି ଖୋଜୁଥିବା ସୂଚନା ରହିଛି।

ତେବେ ଗଣତନ୍ତ୍ର ଦିବସ ଅବସରରେ ଏଭଳି ସ୍ଥିତି ନୂଆ ନୁହେଁ। ପୂର୍ବରୁ ମଧ୍ୟ ହୋଇଛି। ୨୦୧୨ରେ ମନମୋହନ ସିଂହ ସରକାର ଓମାନର ସୁଲତାନଙ୍କୁ ଗଣତନ୍ତ୍ର ଦିବସ ଅବସରରେ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ। ହେଲେ ଅନ୍ତିମ ସମୟରେ ସେ ଗସ୍ତ ବାତିଲ୍ କରିଥିଲେ। ଏହାପରେ ବୈଦେଶିକ ମନ୍ତ୍ରାଳୟ ୨୦୧୩ରେ ଭୁଟାନ୍ ସରକାର ସହିତ କଥା ହୋଇ ରାଜା ଜିଗମେ ଖେସର ନମଗୟେଲ ଓ୍ୱାଙ୍ଗଚୁକଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ। ଗଣତନ୍ତ୍ର ଦିବସର ଦୁଇ ସପ୍ତାହ ପୂର୍ବରୁ ସେତେବେଳର ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଭୁଟାନ ଗସ୍ତ କରି ନିମନ୍ତ୍ରଣ ଦେଇଥିଲେ।

ସେହିଭଳି ୨୦୧୮ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅତିଥି କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାରତ ସରକାର ମଧ୍ୟ ଏ ନେଇ ପ୍ରସ୍ତୁତି କରିଥିଲେ। ହେଲେ ଟ୍ରମ୍ପଙ୍କ ଅଫିସ ରାଜି ହୋଇନଥିଲା। ଯଦିଓ ଏହି ଆଲୋଚନା ଅଣ ଆନୁଷ୍ଠାନିକ ଥିଲା। ପରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି କ୍ୟାରିଲ୍ ରାମାଫୋସାଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ। ଅନ୍ତିମ ଥର ପାଇଁ ୧୯୯୫ରେ ଦକ୍ଷିଣ ଆଫ୍ରିକାରୁ ନେଲସନ ମାଣ୍ଡେଲା ଯୋଗ ଦେଇଥିଲେ।

ପୂର୍ବରୁ ୧୯୫୨, ୧୯୫୩ ଏବଂ ୧୯୬୬ ଗଣତନ୍ତ୍ର ଦିବସରେ କୌଣସି ଅତିଥି ଯୋଗ ଦେଇନଥିଲେ। ସେହିପରି ୧୯୫୬, ୧୯୬୮ ଏବଂ ୧୯୭୪ରେ ଦୁଇ ଜଣ ଲେଖାଏଁ ଅତିଥି ଗଣତନ୍ତ୍ର ଦିବସରେସାମିଲ୍ ହୋଇଥିଲେ। ୨୦୧୮ରେ ଦଶଟି ଏସିଆନ୍ ଦେଶର ମୁଖ୍ୟ ଏହି ଅବସରରେ ସାମିଲ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos