ନୂଆଦିଲ୍ଲୀ: ଅଟୋ ବଦଳରେ ବିମାନରେ ଯାତ୍ରା କଲେ ଆପଣଙ୍କର ଖର୍ଚ୍ଚ କମ୍ ହେବ। ଏକଥା ଆମେ ନୁହେଁ, ଖୋଦ୍ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି।
ଶ୍ରୀ ସିହ୍ନା କହିଛନ୍ତି, ଦୂର ଜାଗାକୁ ଗଲାବେଳେ ଆପଣ କିଲୋମିଟର୍ ପିଛା ଯେତିକି ଅଟୋ ଭଡ଼ା ଦେଉଛନ୍ତି, ତା’ଠାରୁ ବେଶ୍ କମ୍ ଖର୍ଚ୍ଚରେ ଆପଣ ବିମାନ ଯୋଗେ ସେତିକି ବାଟ ଯାଇପାରିବେ। ତାଙ୍କର ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଆଜିକାର ବଜାର ସ୍ଥିତିରେ ଅଟୋ ଭଡ଼ା ଅପେକ୍ଷା ବିମାନ ଭଡ଼ା (କିଲୋମିଟର) ପିଛା ଶସ୍ତା ହୋଇଛି।
ଗୋରଖପୁର ଏୟାରପୋର୍ଟର ଡୋମେଷ୍ଟିକ୍ ଟର୍ମିନାଲ୍ ବିଲଡିଂ ଉଦ୍ଘାଟନ୍ କରି ଶ୍ରୀ ସିହ୍ନା କହିଛନ୍ତି, “ଏବେ ବିମାନ ଭଡ଼ା ଅଟୋ ଭଡ଼ାଠାରୁ କମ୍। ଆପଣ ଭାବୁଥିବେ କେମିତି? ମନେ କରନ୍ତୁ ୨ ଜଣ ଲୋକ ଅଟୋ ଭଡ଼ା କରି ଗୋଟିଏ ସ୍ଥାନରୁ ଦୁଇ କିଲୋମିଟର ଦୂର ଅନ୍ୟ ଏକ ସ୍ଥାନକୁ ଗଲେ। ଏ ବାବଦରେ ସେମାନେ ୧୦ ଟଙ୍କା ଦେଲେ। ଅର୍ଥାତ କିମି ପିଛା ଦାମ୍ ୫ ଟଙ୍କା ପଡ଼ିଲା। ଯଦି ଆପଣ ସମାନ ଦୂରତାକୁ ବିମାନରେ ଅତିକ୍ରମ କରନ୍ତି, ତା’ହେଲେ କିମି ପିଛା ଭଡ଼ା ୪ ଟଙ୍କା ପଡ଼ିବ। ”
ନିଜ ମନ୍ତବ୍ୟକୁ ଯଥାର୍ଥ ଦର୍ଶାଇବାକୁ ଯାଇ ଶ୍ରୀ ସିହ୍ନା କହିଛନ୍ତି, “ମୁଁ କହୁନି ଆପଣ ସ୍ୱଳ୍ପ ଦୂରତା ପାଇଁ ବିମାନରେ ଯାତ୍ରା କରନ୍ତୁ। କିନ୍ତୁ ଆପଣ ଯଦି ବିମାନ ଭଡ଼ା ସହ ଅନ୍ୟ କୌଣସି ଯାନବାହନର ଭଡ଼ାକୁ ତୁଳନା କରିବେ, ତା’ହେଲେ ବିମାନ ସେବା ଆପଣ ଅପେକ୍ଷାକୃତ କମ ଦାମରେ ପାଇପାରିବେ।”