ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଧୀରେଧୀରେ ସୁଧୁରିବା ଆରମ୍ଭ କରିଛି। ପୂର୍ବରୁ ଦୈନିକ ୨ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ଗୋଟିଏ ଦିନରେ ୧୪୭୫ ନୂଆ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୧,୫୮୨କୁ ବୃଦ୍ଧି ପାଇଛି। ତେବେ ଆଶ୍ୱସ୍ତକର ବିଷୟ ହେଉଛି ଏବେ ଦିଲ୍ଲୀରେ ଆରୋଗ୍ୟଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଛି।
ଦିଲ୍ଲୀରେ ଏଯାଏ ମୋଟ ୧,୦୧,୨୭୪ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟାରେ ସର୍ବାଧିକ ୧୯୭୩ ଜଣ ସୁସ୍ଥ ହୋଇଛନ୍ତି। ଜୁନ୍ର ଶେଷ ସପ୍ତାହରେ ଦିଲ୍ଲୀରେ ଦୈନିକ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ। ଏପରି କି ଜୁନ୍ ୨୩ରେ ରେକର୍ଡ ୩୯୪୭ ପଜିଟିଭ ଚିହ୍ନଟ ହୋଇଥିଲେ।
ଅନ୍ୟପକ୍ଷରେ ୨୪ ଘଣ୍ଟାରେ କରୋନା ୨୬ ଜଣଙ୍କ ମୁଣ୍ଡ ନେବାରୁ ଏଠାରେ ମୃତକଙ୍କ ସଂଖ୍ୟା ୩୫୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ଆକ୍ଟିଭ କେସ୍ ସଂଖ୍ୟା ୧୬,୭୧୧ ରହିଛି। ରାଜ୍ୟରେ ଆରୋଗ୍ୟ ହାର ୮୩.୨୯%।