ନୂଆଦିଲ୍ଲୀ: ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ସାଂସଦକୁ ସବୁବେଳେ ଚେତାବନୀ ଦିଅନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଏବେ ଟ୍ରେନରେ ମଦୁଆଙ୍କୁ ମଧ୍ୟ ସାବାଡ୍ କରିଛନ୍ତି।
ରବିବାର ରାଜସ୍ଥାନ କୋଟାକୁ ବାଚସ୍ପତି ୧୨୪୧୬ ଇଣ୍ଟରସିଟି ଏକ୍ସପ୍ରେସରେ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେଶନରୁ ଯାତ୍ରା କରୁଥିବା ବେଳେ ତାଙ୍କ ପାଖ ବର୍ଥରେ ଥିବା ଚାରି ଜଣ ଯାତ୍ରୀ ମଦ ପିଇ ହୋ ହାଲ୍ଲା କରୁଥିଲେ। ଏହାପରେ ତାଙ୍କ ପିଏ ରାଘବେନ୍ଦ୍ର ମଦୁଆଙ୍କ ପାଖକୁ ଯାଇ ଶାନ୍ତ ରହିବାକୁ କହିଥିଲେ। ହେଲେ ମଦ ପିଇଥିବା ଯୁବକମାନେ ଓଲଟା ରାଘବେନ୍ଦ୍ରଙ୍କ ସହ ଉଚ୍ଚ ସ୍ୱରରେ ବାର୍ତ୍ତାଳପ କରିଥିଲେ। ଏହାପରେ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ପିଏ ରେଲଓ୍ୱେ ସୂଚନା କେନ୍ଦ୍ରଙ୍କୁ ଅବଗତ କରାଇ ଦେଇଥିଲେ।
ଏହାପରେ ମଥୁରା ଜଙ୍କସନରେ ଟ୍ରେନ ରାତି ଗୋଟାଏରେ ପହଞ୍ଚିବା ପରେ ରେଲଓ୍ୱେ ସୁରକ୍ଷା ବଳର ଥାନା ପ୍ରଭାରୀ ଉକ୍ତ ଚାରି ଯୁବକଙ୍କୁ ଗିରଫ କରି ନେଇଯାଇଥିଲେ। ଏହାପରେ ସୋମବାର ରେଲଓ୍ୱ ମାଜିଷ୍ଟ୍ରେଟଙ୍କ କୋର୍ଟରେ ୪ ଯୁବକଙ୍କୁ ହାଜିର କରିଥିଲେ ପୁଲିସ୍।
ରାତିରେ ସମସ୍ତେ ଶୋଇଥିବା ବେଳେ ଗିରଫ ହୋଇଥିବା ୪ ଯୁବକ ହୋ ହାଲ୍ଲା କରୁଥିଲେ। ଯାହାକି ଲୋକଙ୍କ ଶୋଇବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହାପରେ ବାଚସ୍ପତି ଓମ୍ ବିର୍ଲା ତାଙ୍କ ପିଏ ରାଘବେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ରେଲଓ୍ୱେ ପୁଲିସକୁ ସୂଚନା ଦେବା ପାଇଁ ବୋଲି ରାଜକୀୟ ରେଲଓ୍ୱେ ପୁଲିସ୍ ସୂଚନା ଦେଇଛି।
ଆରପିଏଫ ଥାନା ଅଧିକାରୀ ସିବି ପ୍ରସାଦ କହିଛନ୍ତି ଗିରଫ ୪ ଯୁବକ ଟ୍ରେନରେ ମଦ ପିଇ ଯାତ୍ରା କରୁଥିବାରୁ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ଏବେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।