ମୁମ୍ବାଇ:ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମକୁ କଂଗ୍ରେସ ମହାରାଷ୍ଟ୍ରର ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିବାକୁ ଶିବସେନା ଆଜି ବିରୋଧ କରିଛି। ଦଳୀୟ ମୁଖପତ୍ର ‘ସାମନା’ରେ ଲେଖାଯାଇଛି, “ପି. ଚିଦାମ୍ବରମଙ୍କୁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରି ନିଜ ଉପରକୁ ପଥର ମାରିଛି।”
ଶିବସେନା ପକ୍ଷରୁ ଆହୁରି କୁହାଯାଇଛି,“ଯେଉଁ ନେତାଙ୍କ ଉପରେ ଆର୍ଥିକ ହେରଫେର କରିବା ଅଭିଯୋଗ ରହିଛି, କଂଗ୍ରେସ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀଭାବେ ବାଛି ଭୁଲ କରୁଛି।”
‘ସାମନା’ରେ ଶିବସେନା କଂଗ୍ରେସକୁ ସମାଲୋଚନା କରି କହିଛି, “ତାମିଲନାଡୁରେ ପି. ଚିଦାମ୍ବରମ ପାଇଁ କୌଣସି ସ୍ଥାନ ନାହିଁ। କିନ୍ତୁ ମହାରାଷ୍ଟ୍ରରେ ଚିଦାମ୍ବରମ ଲୁଙ୍ଗି ଡ୍ୟାନ୍ସ କରିବେ।”
ଶିବସେନା କହିଛି,“କଂଗ୍ରେସ ପି. ଚିଦାମ୍ବରମ ଓ କପିଲ ଶିବଲଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିଛି। କିନ୍ତୁ ଆଜି ଦେଶରେ କଂଗ୍ରେସ କଥାର ମୂଲ୍ୟ ନାହିଁ। କଂଗ୍ରେସ ପି. ଚିଦାମ୍ବରମଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିବା ଠିକ୍ ହୋଇନାହିଁ।”