ଶ୍ରୀନଗର: ଲକଡାଉନ୍ କରି ଅନେକ ଦେଶ କରୋନା ସଂକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ଏହାରି ଭିତରେ ପାକିସ୍ତାନ ନିଜର ସଇତାନୀ ରୂପ ଦେଖାଇଛି। ଆତଙ୍କୀଙ୍କ ସ୍ୱର୍ଗ ତଥା ନିରାପଦ ସ୍ଥାନ ପାଲଟିଥିବା ପାକିସ୍ତାନ ଏବେ କଶ୍ମୀରକୁ କରୋନା ଆକ୍ରାନ୍ତ ଆତଙ୍କବାଦୀ ପଠାଉଛି। ଏ ନେଇ ଜମ୍ମୁ କଶ୍ମୀର ଡିଜିପି ଦିଲବଗ ସିଂହ କହିଛନ୍ତି। ପାକିସ୍ତାନରେ ୯,୭୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୯ ଜଣଙ୍କର ମୃତ୍ୟୁ ଘଟିଛି।
ଉତ୍ତର କଶ୍ମୀରର ଗଣ୍ଡେରବଲ ଜିଲ୍ଲାରେ ଥିବା ଏକାନ୍ତବାସ କେନ୍ଦ୍ରକୁ ବୁଲି ଦେଖିଛନ୍ତି ଡିଜିପି। ଏହାପରେ ସମସ୍ତ ସୁରକ୍ଷା ସ୍ଥାନକୁ ବୁଲି ଦେଖିବା ସହିତ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା କରିଛନ୍ତି ଦିଲବଗ।
ନିକଟରେ ଗୁଇନ୍ଦା ମଧ୍ୟ ଏ ନେଇ ଅବଗତ କରାଇଥିଲା। ପାକିସ୍ତାନରେ ଅନେକ ଆତଙ୍କବାଦୀ କରୋନାରେ ଆକ୍ରାନ୍ତ। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଅନେକ ସଦସ୍ୟ କରୋନାରେ ଆକ୍ରାନ୍ତ। ଏ ନେଇ ପାକିସ୍ତାନ ସରକାର ମଧ୍ୟ ଅବଗତ ଅଛନ୍ତି। ହେଲେ ସ୍ୱାସ୍ଥ୍ୟ ସୁବିଧା ଆତଙ୍କବାଦୀଙ୍କୁ ଯୋଗାଇ ପାରୁନଥିବା ଜଣାପଡ଼ିଛି। ତେଣୁ କଶ୍ମୀର ସୀମାରେ ଅନୁପ୍ରବେଶ କରି ଆତଙ୍କବାଦୀ ମାନେ ଏହି କିଲର ଭାଇରସକୁ ଦେଶର ସେନା ଏବଂ ଲୋକଙ୍କ ମଧ୍ୟରେ ବିସ୍ତାର କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।
ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମିଶି ଆଲୋଚନା କରିବା ବେଳେ ସେ କହିଛନ୍ତି, ପାକିସ୍ତାନ କରୋନା ଆକ୍ରାନ୍ତ ଆତଙ୍କବାଦୀଙ୍କୁ କଶ୍ନୀର ପଠାଉଛି। ଲୋକମାନେ ଏବେ କରୋନା ଆକ୍ରାନ୍ତ ଆତଙ୍କବାଦୀଙ୍କ ଉପରେ ନଜର ରଖିବା ଦରକାର। ଏମିତିକି ଅଚିହ୍ନ ଲୋକଙ୍କୁ ଦେଖିଲେ ପୁଲିସକୂ ସୂଚନା ଦେବା ଦରକାର ବୋଲି ସେ କହିଛନ୍ତି।
ଦକ୍ଷିଣ କଶ୍ମୀରର ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ବୁଧବାର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହା ପୂର୍ବରୁ ଚଳିତ ମାସ ଆରମ୍ଭରେ ଶ୍ରୀନଗର କୁପଓ୍ୱାଡା ଜିଲ୍ଲାରେ ଥିବା କେରନ ସେକ୍ଟରରେ ଆତଙ୍କବାଦୀ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ବେଳେ ଯବାନମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ୪୮ ଘଣ୍ଟା ଧରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ।