ଇସ୍ଲାମାବାଦ୍: ପାକିସ୍ତାନରେ ନାନକନା ସାହିବସ୍ଥିତ ଗୁରୁଦ୍ୱାର ଉପରେ କିଛି ମୁସଲିମ୍ଙ୍କ ଆକ୍ରମଣ ପରେଅଡ଼ୁଆରେ ପଡ଼ିଛନ୍ତି ଇମ୍ରାନ୍ ଖାନ୍। ସେ ଏବେ ଏହି ଆକ୍ରମଣର ଭୟାବହତାକୁ ଲୁଚାଇବାକୁ ଯାଇ ଆରଏସ୍ଏସ୍ କୁ ଟାର୍ଗେଟ୍ କରିଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ତାଙ୍କ ସରକାର କୁଆଡ଼େ ଏଭଳି ଘଟଣା ପାଇଁ ‘ଜିରୋ ଟଲେରାନ୍ସ’ ମନୋଭାବ ପ୍ରୟୋଗ କରିଥାଏ।
ସେ ଆରଏସ୍ଏସ୍ ଏବଂ ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି, “ସଂଖ୍ୟାଲଘୁଙ୍କ ବିରୋଧରେ ଅତ୍ୟାଚାର ଏବଂ ମୁସଲିମ୍ଙ୍କ ବିରୋଧରେ ଆକ୍ରମଣ ଆରଏସ୍ଏସ୍ ଏବଂ ମୋଦିଙ୍କ ଏଜେଣ୍ଡା।” ସେ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରରୁ ଏପରି କହିଛନ୍ତି। ସେ କହିଛନ୍ତି, ଭାରତରେ ମୁସଲିମ୍ଙ୍କ ଉପରେ ଅତ୍ୟାଚାର ଏବଂ ନାନକନା ଆକ୍ରମଣ ମଧ୍ୟରେ ଫରକ ଅଛି। ପୁଲିସ୍ ଓ ନ୍ୟାୟାଳୟ ସହିତ ତାଙ୍କ ସରକାର ସେମାନଙ୍କୁ ସୁରକ୍ଷା ଦେବ ବୋଲି ସେ କହିଛନ୍ତି।
ସେ ଆରଏସ୍ଏସ୍କୁ ଟାର୍ଗେଟ୍ କରିବାକୁ ଯାଇ କହିଛନ୍ତି, “ମୋଦିଙ୍କ ଆରଏସ୍ଏସ୍ ଭିଜନ୍ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରକୁ ସମର୍ଥନ ଦେଇଥାଏ। ଆରଏସ୍ଏସ୍ର ଗୁଣ୍ଡାମାନେ ସର୍ବସାଧାରଣରେ ସଂଘବଦ୍ଧ ଆକ୍ରମଣ କରୁଛନ୍ତି, ଏହା କେବଳ ମୋଦିଙ୍କ ଏଜେଣ୍ଡା ନୁହେଁ ପୁଲିସ୍ ମଧ୍ୟ ଏହାର ନେତୃତ୍ୱ ନେଉଛି।”
ସେ ଏଭଳି ସମୟରେ ମନ୍ତବ୍ୟ ରଖିଛନ୍ତି, ଯେତେବେଳେ ପାକିସ୍ତାନରେ ଶିଖ୍ଙ୍କୁ ଲଗାତାର ଟାର୍ଗେଟ୍ କରାଯାଉଛି। ଗତ କିଛି ଦିନ ତଳେ ଗୁରୁଦ୍ୱାରା ଉପରକୁ ଢେଲା ମାଡ଼ କରାଯିବା ସହ ଧ୍ୱଂସ କରିଦେବାକୁ ଧମକ ଦିଆଯାଇଥିଲା। ଏପରିକି ଏହି ସହରର ନାମ ନାନକନା ବଦଳରେ ଜଣେ ମୁସଲିମ୍ ଧର୍ମଗୁରୁଙ୍କ ନାମରେ ରଖିବାକୁ ଧମକାଯାଇଥିଲା। ଜଣେ ଶିଖ୍ ଝିଅକୁ ଜୋରଜବରଦସ୍ତ ଧର୍ମାନ୍ତରୀକରଣ କରାଇଥିବା ଜଣେ ବ୍ୟକ୍ତିଙ୍କ ପରିବାର ଏହି ଆକ୍ରମଣର ନେତୃତ୍ୱ ନେଉଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।