କଶ୍ମୀର: ରାଷ୍ଟ୍ରଦୂତଙ୍କୁ ଭେଟି ୮ ପିଡିପି ନେତା ବହିଷ୍କୃତ

ଶ୍ରୀନଗର: ଜମ୍ମୁ-କଶ୍ମୀର ଗସ୍ତରେ ଥିବା ରାଷ୍ଟ୍ରଦୂତମାନଙ୍କୁ ପିଡିପିର କିଛି ନେତା ଭେଟିଥିବାରୁ ସେମାନଙ୍କୁ ଏହି ଦଳ ବହିଷ୍କାର କରିଛି। ସେମାନେ ‘ଲୋକଙ୍କ ଇଛା ବିରୋଧରେ ଯାଇ’ ସରକାରଙ୍କୁ ସହଯୋଗ କରିଛନ୍ତି ବୋଲି ସେମାନଙ୍କ ଦଳ ପକ୍ଷରୁ କୁହାଯାଇଛି। ମୋଟ ୮ ଜଣ ଏପରି ନେତାଙ୍କୁ ପିଡିପି ବିଦା କରିଛି। ଏହି ଗସ୍ତକୁ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଭାରତୀୟ ନେତାଙ୍କୁ କଶ୍ମୀର ଯିବାକୁ ଅନୁମତି ନଦେଇ ରାଷ୍ଟ୍ରଦୂତମାନଙ୍କୁ ଏପରି ବୁଲାଇବା ଡବଲ […]

PDP

Subrat Kumar Nayak
  • Published: Thursday, 09 January 2020
  • , Updated: 09 January 2020, 09:40 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀର ଗସ୍ତରେ ଥିବା ରାଷ୍ଟ୍ରଦୂତମାନଙ୍କୁ ପିଡିପିର କିଛି ନେତା ଭେଟିଥିବାରୁ ସେମାନଙ୍କୁ ଏହି ଦଳ ବହିଷ୍କାର କରିଛି। ସେମାନେ ‘ଲୋକଙ୍କ ଇଛା ବିରୋଧରେ ଯାଇ’ ସରକାରଙ୍କୁ ସହଯୋଗ କରିଛନ୍ତି ବୋଲି ସେମାନଙ୍କ ଦଳ ପକ୍ଷରୁ କୁହାଯାଇଛି। ମୋଟ ୮ ଜଣ ଏପରି ନେତାଙ୍କୁ ପିଡିପି ବିଦା କରିଛି। ଏହି ଗସ୍ତକୁ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଭାରତୀୟ ନେତାଙ୍କୁ କଶ୍ମୀର ଯିବାକୁ ଅନୁମତି ନଦେଇ ରାଷ୍ଟ୍ରଦୂତମାନଙ୍କୁ ଏପରି ବୁଲାଇବା ଡବଲ ଷ୍ଟାଣ୍ଡାର୍ଡ।

ସୂଚନାଯୋଗ୍ୟ ଯେ, ଆମେରିକା ସମେତ ୧୫ଟି ଦେଶର ରାଷ୍ଟ୍ରଦୂତ ଆଜିଠାରୁ ଦୁଇ ଦିନିଆ କଶ୍ମୀର ଗସ୍ତରେ ଯାଇଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ୩୭୦ ଧାରା ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଏପରି ଗସ୍ତ ପ୍ରଥମ। ଏହି ରାଷ୍ଟ୍ରଦୂତମାନେ ସେଠାକାର ସ୍ଥିତି କେମିତି ରହିଛି, ତାହା ତଦାରଖ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଏହି ରାଷ୍ଟ୍ରଦୂତମାନଙ୍କ ଅନୁରୋଧ କ୍ରମେ ଏହି ଗସ୍ତ ଆୟୋଜନ କରାଯାଇଛି।

ଅଗଷ୍ଟ ୫ ଠାରୁ କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବା ବେଳେ ବିଭିନ୍ନ ସ୍ଥାନରେ କଟକଣା ଲାଗି ରହିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ କଶ୍ମୀରରେ ସ୍ଥିତି କେମିତି ରହିଛି ସେକଥା ତଦାରଖ କରିବାକୁ ଏଭଳି ରାଷ୍ଟ୍ରଦୂତଙ୍କ ପ୍ରତିନିଧି ଟିମ କଶ୍ମୀର ଗସ୍ତ କରିଛନ୍ତି।
ଏହି ୧୫ଟି ଦେଶର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଆମେରିକା, ଭିଏତନାମ, ଦକ୍ଷିଣ କୋରିଆ, ନାଇଜର, ନାଇଜେରିଆ, ମରୋକ୍କୋ, ଗୁୟାନା, ଆର୍ଜେଣ୍ଟିନା, ଫିଲପାଇନ୍ସ, ନରୱେ, ମାଳଦ୍ୱୀପ, ଫିଜି, ଟୋଗୋ, ବାଂଲାଦେଶ ଓ ପେରୁ ରହିଛନ୍ତି। ତେବେ ୟୁରୋପିଆନ ୟୁନିଅନ ଏଭଳି ଗସ୍ତକୁ ବୟକଟ କରିଛି।

ୟୁରୋପିଆନ ୟୁନିଅନର ରାଷ୍ଟ୍ରଦୂତମାନେ ସ୍ଥିତି ପରଖିବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ଭେଟିବାକୁ ଚାହିଁଥିଲେ। ଏଥିସହ ଅଗଷ୍ଟ ୪ରୁ ଅଟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଭେଟିବାକୁ ସର୍ତ୍ତ ରଖିଥିଲେ। ହେଲେ ଭାରତ ସରକାର ଏଥିରେ ରାଜି ନ ହେବାରୁ, ୟୁରୋପିଆନ ୟୁନିଅନ କଶ୍ମୀର ଗସ୍ତରେ ଯିବାକୁ ମନା କରିଦେଇଛି। ପରବର୍ତ୍ତୀ ସମୟରେ ସେମାନଙ୍କ ଗସ୍ତ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।

ଦୁଇ ଦିନିଆ କଶ୍ମୀର ସ୍ଥିତି ପରଖିବାକୁ ଯାଇଥିବା ୧୭ ଦେଶର ରାଷ୍ଟ୍ରଦୂତମାନେ ଆଜି ମଧ୍ୟାହ୍ଣରେ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ଶ୍ରୀନଗରର ଟେକ୍ନିକାଲ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏମାନଙ୍କୁ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ଏଠାରୁ ସମସ୍ତଙ୍କୁ ଜମ୍ମୁ ନିଆଯିବ। ସେମାନେ ସ୍ଥିତି ପରଖିବା ପରେ ସେଠାରେ ହିଁ ରାତିରେ ରହିବେ। ଏହି ରାଷ୍ଟ୍ରଦୂତଙ୍କ ପ୍ରତିନିଧି ଟିମ୍‌ ଉପରାଜ୍ୟପାଳ ଜିସି ମୁର୍ମୁଙ୍କୁ ମଧ୍ୟ ଭେଟିବେ।

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରେ ଅତ୍ୟାଚାର କରାଯାଉଥିବା ପାକିସ୍ତାନ ବାରମ୍ବାର ଦାବି କରି ଆସୁଛି। ପ୍ରକୃତ ସ୍ଥିତି ପରଖିବାକୁ ଏକାଧିକ ଦେଶର ରାଷ୍ଟ୍ରଦୂତ ବାରମ୍ବାର ଭାରତ ସରକାରଙ୍କୁ କହି ଆସୁଥିଲେ। ଏବେ ପାକିସ୍ତାନ ମିଛର ପର୍ଦ୍ଦାଫାସ କରିବାକୁ ଭାରତ ସରକାର ଏଭଳି ଯୋଜନା କରିଥିବା କୁହାଯାଉଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଏହି ଗ୍ରୁପ୍‌ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ସୁରକ୍ଷାରେ ରହିଥିବା ଚ୍ୟାଲେଞ୍ଜକୁ ତର୍ଜମା କରିବେ। ଏଥିସହିତ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଆତଙ୍କବାଦର ଆଶଙ୍କା ଲାଗିରହିଥିବା ନେଇ ଆଲୋଚନା କରିବେ। ଏହାକୁ ବିରୋଧୀ ଗାଇଡେଡ୍‌ ଟୁର କହିବା ଭିତ୍ତିହୀନ।” ଏହି ଗୋଷ୍ଠୀ ସରକାରୀ ଅଧିକାରୀଙ୍କ ବ୍ୟତୀତ ସ୍ଥାନୀୟ ଗଣମାଧ୍ୟମ ଏବଂ ରାଜନୀତିକ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଏହି ଅବସରରେ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିବାର ଅଛି।

Related story