ଆସିଲା ବଡ଼ ଖୁସି ଖବର: ଚୂଡ଼ାନ୍ତ ପରୀକ୍ଷାରେ ଫାଇଜର୍‌ର କରୋନା ଟିକା ସୁରକ୍ଷିତ

ୱାଶିଂଟନ: ମହାମାରୀ କରୋନା ସଂକ୍ରମଣ ଭିତରେ ସବୁଠାରୁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। କରୋନାକୁ ମାତ ଦେବାକୁ ଫାଇଜର କମ୍ପାନୀ ପ୍ରସ୍ତୁତ କରିଥିବା ଟିକା ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଜଣାପଡ଼ିଛି। ସେହିପରି ଶେଷ ପର୍ଯ୍ୟାୟ ପରୀକ୍ଷାରେ ଏହା କରୋନାକୁ ମାତ ଦେବା ପାଇଁ ୯୫% ସଫଳ ବୋଲି ମଧ୍ୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଫାଇଜର ପକ୍ଷରୁ ଆଜି କୁହାଯାଇଛି, ଜର୍ମାନୀର ବାଓଟେକ୍ନୋଲଜି କମ୍ପାନୀ BioNTech SE ସହ ମିଳିତ ଭାବେ ପ୍ରସ୍ତୁତ […]

gt

Hemant Lenka
  • Published: Wednesday, 18 November 2020
  • , Updated: 18 November 2020, 10:22 PM IST

ୱାଶିଂଟନ: ମହାମାରୀ କରୋନା ସଂକ୍ରମଣ ଭିତରେ ସବୁଠାରୁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। କରୋନାକୁ ମାତ ଦେବାକୁ ଫାଇଜର କମ୍ପାନୀ ପ୍ରସ୍ତୁତ କରିଥିବା ଟିକା ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଜଣାପଡ଼ିଛି। ସେହିପରି ଶେଷ ପର୍ଯ୍ୟାୟ ପରୀକ୍ଷାରେ ଏହା କରୋନାକୁ ମାତ ଦେବା ପାଇଁ ୯୫% ସଫଳ ବୋଲି ମଧ୍ୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି।

ଫାଇଜର ପକ୍ଷରୁ ଆଜି କୁହାଯାଇଛି, ଜର୍ମାନୀର ବାଓଟେକ୍ନୋଲଜି କମ୍ପାନୀ BioNTech SE ସହ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ନେଇ ଭଲ ଖବର ଆସିଛି। ଏହି ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ବିଶ୍ୱର ବିଭିନ୍ନ ସ୍ଥାନରେ କରାଯାଇଥିଲା। ଏଥିରେ ସବୁ ବର୍ଗର ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ।

ଶେଷ ପର୍ଯ୍ୟାୟ ଟ୍ରାଏଲରୁ ଜଣାପଡ଼ିଛି ଯେ ଏହି ଟିକା ନେଉଥିବା ଲୋକଙ୍କ ଶରୀରରେ ଆଶାତୀତ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି। ସେହିପରି ଏହା କରୋନା ଉପରେ ୯୫% ପ୍ରଭାବ ଦେଖାଇ ପାରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିକା କରଣ ପରେ ଲୋକଙ୍କ ଶରୀରରେ କୌଣସି ବଡ଼ଧରଣର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉ ନାହିଁ।

ବିଶେଷ କରି କରୋନା ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ବର୍ଗ ବା ୬୦ ବର୍ଷରୁ ଅଧିକ ବୟଷ୍କଙ୍କ ଉପରେ ଏହି ଟିକା ୯୪% ପ୍ରଭାବ ଦେଖାଉଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଟିକାର ପ୍ରଥମ ଡୋଜ ନେଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୨%ଙ୍କ ଶରୀରରେ ସାମାନ୍ୟ ବିନ୍ଧା ଛିଟିକା ପରିଲ୍ଲଖିତ ହେଉଛି। ସେହିପରି ଦ୍ୱିତୀୟ ଡୋଜ୍‌ ନେବା ପରେ ୩.୭% ଲୋକଙ୍କ ଶରୀରରେ ସାମାନ୍ୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉଛି।

ଆସନ୍ତା ଗୋଟିଏ ଦିନ ଭିତରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆମେରିକା ପ୍ରଶାସନ ନିକଟରେ ଆବେଦନ କରାଯିବ ବୋଲି କମ୍ପାନୀ କହିଛି। କମ୍ପାନୀ ଆହୁରି କହିଛି ଯେ ପ୍ରାଥମିକ ବିଶ୍ଳେଷଣରୁ ଜଣାପଡ଼ିଥିଲା ଟିକାକରଣର ପ୍ରଥମ ୨୮ ଦିନ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପରୀକ୍ଷା ସମୟରେ, କୋଭିଡ -୧୯ ଦ୍ୱାରା ସଂପୂର୍ଣ୍ଣ ଭାବେ ଆକ୍ରାନ୍ତ ହୋଇଥିବା ୧୭୦ ଜଣଙ୍କ ରିପୋର୍ଟକୁ ସମୀକ୍ଷା କରାଯାଇଥିଲା।

ଏବେ ଫାଇଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ସମ୍ପର୍କରେ କହିଛି ଯେ ସମସ୍ତ ବର୍ଗର ଲୋକଙ୍କ ଉପରେ ଏହି ଟିକାର ଦୁଇଟି ଯାକ ଡୋଜ୍‌ ସମାନ ପ୍ରଭାବ ଦେଖାଉଛି। ଟିକାର ବ୍ୟବହାର ପାଇଁ ଅନୁମତି ମିଳିଲେ ଫାଇଜର ଚଳିତ ବର୍ଷ ୫୦ ମିଲିୟନ ଡୋଜ ଟିକା ପ୍ରସ୍ତୁତ କରିବ। ଏହାଦ୍ୱାରା ୨୫ ମିଲିୟନ ଲୋକଙ୍କୁ କରୋନା କବଳରୁ ରକ୍ଷା କରାଯାଇ ପାରିବ। ସେହିପରି ୨୦୨୧ରେ କମ୍ପାନୀ ୧.୩ ବିଲିୟନ ଡୋଜ୍ର ଟିକା ପ୍ରସ୍ତୁତ କରିବ ବୋଲି କହିଛି।

Related story