ପିଟ୍ରୋଡ଼ାଙ୍କ ‘ହୁଆ ତୋ ହୁଆ’ କଂଗ୍ରେସକୁ ଅଡ଼ୁଆ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିଭିନ୍ନ ଆକ୍ଷେପ ଓ କାଦୁଅଫୋପଡ଼ା ଭିତରେ ଧସେଇ ପଶିଛି ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ପ୍ରସଙ୍ଗ। ବିଜେପି ଏହାକୁ ପ୍ରସଙ୍ଗ କରି ଶିଖ୍‌ ସମ୍ପ୍ରଦାୟର ସମର୍ଥନ ହାସଲ କରିବା ପ୍ରୟାସରେ ଏବେ ଘିଅ ଢାଳିଛନ୍ତି ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ ଅଧ୍ୟକ୍ଷ ତଥା ଗାନ୍ଧି ପରିବାରର ଅତି ଘନିଷ୍ଠ ସାମ୍‌ ପିଟ୍ରୋଡ଼ା। ଆଉ ବିଜେପି ଏହି ପ୍ରସଙ୍ଗକୁ ସମାନ ଢଙ୍ଗରେ ଉଠାଇବାର ପ୍ରୟାସ କରିଛି ଯେପରି ୨୦୧୪ ମସିହାରେ ମଣିଶଙ୍କର ଆୟରଙ୍କ ‘ଚାୟୱାଲା’ […]

Rahul-Pitroda

Subrat Kumar Nayak
  • Published: Friday, 10 May 2019
  • , Updated: 10 May 2019, 04:33 PM IST

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିଭିନ୍ନ ଆକ୍ଷେପ ଓ କାଦୁଅଫୋପଡ଼ା ଭିତରେ ଧସେଇ ପଶିଛି ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ପ୍ରସଙ୍ଗ। ବିଜେପି ଏହାକୁ ପ୍ରସଙ୍ଗ କରି ଶିଖ୍‌ ସମ୍ପ୍ରଦାୟର ସମର୍ଥନ ହାସଲ କରିବା ପ୍ରୟାସରେ ଏବେ ଘିଅ ଢାଳିଛନ୍ତି ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ ଅଧ୍ୟକ୍ଷ ତଥା ଗାନ୍ଧି ପରିବାରର ଅତି ଘନିଷ୍ଠ ସାମ୍‌ ପିଟ୍ରୋଡ଼ା। ଆଉ ବିଜେପି ଏହି ପ୍ରସଙ୍ଗକୁ ସମାନ ଢଙ୍ଗରେ ଉଠାଇବାର ପ୍ରୟାସ କରିଛି ଯେପରି ୨୦୧୪ ମସିହାରେ ମଣିଶଙ୍କର ଆୟରଙ୍କ ‘ଚାୟୱାଲା’ ମନ୍ତବ୍ୟକୁ ନେଇ କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀ ଏବଂ ପଞ୍ଜାବରେ ନିର୍ବାଚନ ଥିବାବେଳେ ୧୯୮୪ରେ ଏହି ଦୁଇ କ୍ଷେତ୍ରରେ ହିଁ ଶହ ଶହ ଶିଖ୍‌ଙ୍କୁ ହତ୍ୟା କରାଯାଇଥିଲା। ସବୁକିଛି ହିସାବକୁ ନେଲେ ଏହି ପ୍ରସଙ୍ଗରେ କଂଗ୍ରେସ ବ୍ୟାକ୍‌ଫୁଟ୍‌ରେ ରହିଛି।

ସୂଚନାଯୋଗ୍ୟ, ଏହି ଦଙ୍ଗା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ କାର୍ଯ୍ୟାଳୟରୁ ହିଁ ନିର୍ଦ୍ଦେଶ ଆସିଥିଲା ବୋଲି ବିଜେପି ଆଣିଥିବା ଅଭିଯୋଗର ଉତ୍ତରରେ ପିଟ୍ରୋଡ଼ା ଏଭଳି ମନ୍ତବ୍ୟ ଦେଇଥିଲେ। ସେ ଗତକାଲି ଉତ୍ତେଜିତ ସ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ବିଜେପି ଲଗାତାର ମିଛ କହିଆସୁଛି। ୧୯୮୪ ପ୍ରସଙ୍ଗଟି କ’ଣ, ଆପଣ ପ୍ରଥମେ ନିଶ୍ଚିତ ହୁଅନ୍ତୁ। ଆପଣ ୫ ବର୍ଷରେ କ’ଣ କରିଛନ୍ତି? ୮୪ରେ ହେଲା ତ ହେଲା, ଆପଣ କ’ଣ କଲେ?

ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ସଂଘଟିତ ଏହି ଦଙ୍ଗାକୁ ନେଇ କଂଗ୍ରେସ ଦୀର୍ଘ ଦିନ ଧରି ଅଡ଼ୁଆରେ ଅଛି। ଏହି ମାମଲାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲର ଏବଂ ସଜ୍ଜନ କୁମାର ଏବେ ମଧ୍ୟ କାଠଗଡ଼ାରେ ହାଜର ହୋଇଆସୁଛନ୍ତି। ବର୍ତ୍ତମାନର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନାମ ମଧ୍ୟ ଏହି ମାମଲାରେ ଯୋଡ଼ାହୋଇସାରିଛି।

ଏହାକୁ ନେଇ ବିଜେପି ଏବଂ ଏହାର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ କଂଗ୍ରେସକୁ ଘେରିବା ଆରମ୍ଭ କରିଛି। ଶୁକ୍ରବାର ଶିଖ୍‌ ସମ୍ପ୍ରଦାୟ ପକ୍ଷରୁ ଦିଲ୍ଲୀଠାରେ ରାହୁଲଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ଅମୃତସରଠାରେ ଏହାର କଡ଼ା ବିରୋଧ କରାଯାଇଛି। ଏପରିକି ଦିଲ୍ଲୀରେ ମଧ୍ୟ ଏପରି ଢଙ୍ଗରେ ବିରୋଧ କରାଯାଇଛି। ବିଜେପି ଆଜି ଏହାର ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ମଧ୍ୟ ଅପ୍‌ଲୋଡ୍‌ କରି ଲୋକମାନଙ୍କୁ ରାଜୀବ ଗାନ୍ଧିଙ୍କ ବିବାଦୀୟ ମନ୍ତବ୍ୟ, "ଯେତେବେଳେ ଗୋଟିଏ ବିରାଟ ଗଛ ଉପୁଡ଼ି ପଡ଼େ, ଭୂକମ୍ପ ହେବ ହିଁ ହେବ" ପୁଣି ଥରେ ଶୁଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ସଭାରେ କହିଛନ୍ତି, କଂଗ୍ରେସର ଏତାଦୃଶ ପ୍ରକୃତି ହିଁ ଏହାକୁ ୪୪ଟି ଆସନରେ ସୀମିତ ରଖିଥିଲା। ଏହା ବର୍ତ୍ତମାନ ଆହୁରି ତଳକୁ ଖସିଯିବ। ଅନ୍ୟପକ୍ଷରେ ଭଟିଣ୍ଡା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହର୍ସିମରତ କୌର ବାଦଲ କହିଛନ୍ତି, “ରାଜା ସାହେବ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଆପଣ ସ୍ୱୀକାର କରିସାରିଛନ୍ତି ଯେ ଦଙ୍ଗା କଂଗ୍ରେସ ନେତା ହିଁ ଭିଆଇଥିଲେ, କିନ୍ତୁ ଜଗଦୀଶ ଟାଇଟଲର ଏବଂ କମଲ ନାଥଙ୍କୁ ସୁରକ୍ଷା ଯୋଗାଇ ଆସିଛନ୍ତି। ନିଜ ସମ୍ପ୍ରଦାୟକୁ ଛୁରାଘାତ କରିବା ବନ୍ଦ କରନ୍ତୁ, ଚଉକି ଲୋଭ ଛାଡ଼ି ସ୍ୱୀକାର କରନ୍ତୁ ଯେ ରାଜୀବ ଗାନ୍ଧି ହିଁ ଦଙ୍ଗା ପାଇଁ ନିର୍ଦ୍ଦେଶ ଦେଇଥିଲେ।”

ବିଜେପି ପକ୍ଷରୁ ଆହୁରି ମଧ୍ୟ ପ୍ରଶ୍ନ କରାଯାଇଛି ଚେଲା ରାହୁଲ ଗୁରୁ ପିଟ୍ରୋଡ଼ାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ତ?

Related story