ନୂଆଦିଲ୍ଲୀ: ପାକିସ୍ତାନର ରାୱଲପିଣ୍ଡିରେ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଜନବସତି ଅଞ୍ଚଳ ଉପରକୁ ଖସି ପଡ଼ିଥିବାରୁ ମୃତାହାତଙ୍କ ମଧ୍ୟରେ ସାଧାରଣ ଲୋକ ମଧ୍ୟ ରହିଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ରୁ ଅଧିକ ଲୋକ ଗୁରୁତର ଅଛନ୍ତି। ଏନେଇ ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି ଯେ ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୫ ଜଣ ଯବାନ ଅଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ସେନା ପକ୍ଷରୁ ଜଣାଯାଇଛି, ପାକିସ୍ତାନ ସେନାର ଏକ ଛୋଟ ବିମାନ ସ୍ୱାଭାବିକ ଭାବେ ଉଡ଼ିବା ଆରମ୍ଭ କରିଥିଲା। ହେଲେ କିଛି ସମୟ ପରେ ରାୱଲପିଣ୍ଡି ସହରର ମୋରାକାଲୁ ଗାଁ ଉପରେ ଅଚାନକ ବିମାନଟି ଜନବସତି ଅଞ୍ଚଳରେ ଗଳି ପଡ଼ିଥିଲା। ବିମାନଟି ଖସିବା ପରେ ତତ୍କ୍ଷଣାତ ସମଗ୍ର ଅଞ୍ଚଳରେ ନିଆଁ ବ୍ୟାପି ଯାଇଥିଲା। ଏଥିଯୋଗୁ ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି।
କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ଏନେଇ ପାକିସ୍ତାନ ସେନା ପକ୍ଷରୁ ସୂଚନା ଦିଆଯାଇ ନାହିଁ। ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।
ଦୁର୍ଘଟଣା ନେଇ ରାଜ୍ୟ ସରକାର ପକ୍ଷରୁ ଜରୁରୀକାଳୀନ ଫୋନ୍ ନମ୍ୱର ଜାରି କରାଯାଇଛି। ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।