ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବହୁତ ଦିନ ହେଲା ଦେଖାଯାଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବେ ସବୁ ସୀମା ପାର କରି ଯାଇଛି। ସୋମବାର ଗଲୱାନ ଉପତ୍ୟକାରେ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ମଧ୍ୟ ଅଛନ୍ତି। ଭାରତୀୟ ସୈନଙ୍କ ପାଲଟା ଜବାବରେ ଚୀନର ୪୩ ଯବାନ ମୃତାହତ ହୋଇଥିବା ଜଣାପଡ଼ିଛି। ଉଭୟ ଦେଶ କୁଟନୈତିକ ସ୍ତରରେ ଏହି ମାମଲାକୁ ଶାନ୍ତ କରିବାକୁ ପ୍ରୟାସ କରୁଛନ୍ତି। ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପିଏମ୍ଓରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୧୯ ତାରିଖର ଅପରାହ୍ଣ ୫ଟାରେ ଏହି ସର୍ବଦଳୀୟ ବୈଠକ ବସିବ। ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଏହି ଭର୍ଚୁଆଲ ବୈଠକରେ ସାମିଲ ହେବେ।
In order to discuss the situation in the India-China border areas, Prime Minister @narendramodi has called for an all-party meeting at 5 PM on 19th June. Presidents of various political parties would take part in this virtual meeting.
— PMO India (@PMOIndia) June 17, 2020
ଏହା ପୂର୍ବରୁ ଆଜି ସକାଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏହା ସହିତ ପ୍ରକୃତ ତଥ୍ୟ ଦେବାକୁ ସେ ଦାବି କରିଥିଲେ।