ନୂଆଦିଲ୍ଲୀ: ଦେଶରେ ବର୍ଦ୍ଧିତ କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଆସନ୍ତାକାଲି ଓଡ଼ିଶା ସମେତ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟଗୁଡ଼ିକ ସହ ମୋଦି ଭିଡିଓ କନଫରେନ୍ସିଂ କରିବେ।
ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଅର୍ଥନୀତି ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଲକଡାଉନ ଯୋଗୁ ଦେଶର ଅର୍ଥନୀତି ଲାଇନଚ୍ୟୁତ ହୋଇଥିଲା। ହେଲେ ଏହା ଏବେ ପୁଣି ଟ୍ରାକକୁ ଫେରିବ। ଏଥିପାଇଁ ସବୁ କିଛି ଠିକ ମାର୍ଗରେ ଚାଲୁ ରହିଥିବା ସେ ଦେଶବାସୀଙ୍କ ଆଗରେ ଦମ୍ଭୋକ୍ତି କରିଛନ୍ତି।
ସେ କହିଛନ୍ତି, ଅନଲକ-୧କୁ ଦୁଇ ସପ୍ତାହ ବିତିଲାଣି। ଏହି ସମୟରେ ପାଇଥିବା ଅଭିଜ୍ଞତା ଆମକୁ ନିଶ୍ଚିତ ଭାବେ ଭବିଷ୍ୟତରେ ସହାୟକ ହେବ। ଆଜି ମୁଁ ଆପଣମାନଙ୍କ ଠାରୁ ଗ୍ରାଉଣ୍ଡରେ କ’ଣ ଚାଲିଛି, ସେ ବିଷୟରେ ଜାଣିବି। ଆପଣମାନଙ୍କ ପ୍ରସ୍ତାବ, ଆମକୁ ନିଶ୍ଚିତ ଭାବେ ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବାରେ ସହଯୋଗ କରିବ।
କରୋନା ସଂକ୍ରମଣ ଉପରେ ମୋଦି କହିଛନ୍ତି, ବର୍ତ୍ତମାନ ଦେଶରେ କରୋନା ଆରୋଗ୍ୟ ହାର ୫୦% ଅତିକ୍ରମ କରିଯାଇଛି। ଭବିଷ୍ୟତରେ ଯେତେବେଳେ ବି କରୋନା ଲଢ଼େଇରେ ଭାରତ କ’ଣ କରିଛି ବୋଲି ସମୀକ୍ଷା କରାଯିବ ସେତେବେଳେ ନିଶ୍ଚିତ ଭାବେ ଏହି ସମୟ ଉପରେ ସମସ୍ତେ ଆଲୋଚନା କରିବେ। କାରଣ ଆମେ ସମସ୍ତେ ମିଳିତ ଭାବେ ଲଢ଼େଇ କରିଛେ ଓ ସଂଘୀୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛେ।
ଅନଲକ-୧ରେ ଏକାଧିକ ଶିଳ୍ପସଂସ୍ଥା ଠାରୁ ଆରମ୍ଭ କରି ବ୍ୟବସାୟ କାର୍ଯ୍ୟକଳାପ ଆରମ୍ଭ ହୋଇଛି। ଏହାଦ୍ୱାରା ଅର୍ଥନୀତି ଧୀରେଧୀରେ ସୁଧୁରିବାରେ ଲାଗିଛି। ବର୍ତ୍ତମାନ ସମୟରେ ଆମେ କେବେ ହେଲେ ବିନା ମାସ୍କରେ ବାହାରକୁ ବାହାରିବା କଥା ଚିନ୍ତା କରିବା କଥା ନୁହେଁ। କାରଣ ଏହାଦ୍ୱାରା କରୋନା ସଂକ୍ରମଣକୁ ବହୁ ମାତ୍ରାରେ ରୋକି ପାରିଛେ ବୋଲି ସେ କହିଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ, କେରଳ, ଗୋଆ, ଉତ୍ତରାଖଣ୍ଡ, ଝାରଖଣ୍ଡ ଓ ପୁଡୁଚେରୀ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାକାଲି ବାକି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦି ବୈଠକ କରିବେ।