ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି। ଏହି ବଜେଟ ଗରିବ କଲ୍ୟାଣକାରୀ ବୋଲି ମୋଦି କହିଛନ୍ତି । ବିଶେଷ କରି ଅଧିକରୁ ଅଧିକ ନିବେଶ, ଭିତ୍ତିଭୂମି ଏବଂ ନିଯୁକ୍ତି ସମ୍ଭାବନାକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ଏହି ବଜେଟ ପ୍ରଗତୀଶୀଳ ଏବଂ ଜନହିତକର । ବିଗତ ୧୦୦ ବର୍ଷ ମଧ୍ୟରେ ଭୟଙ୍କର ବିପର୍ଯ୍ୟୟ କୋଭିଡ ମହାମାରୀ କାଳରେ ଏହା ସବୁଠାରୁ ସଶକ୍ତ ବଜେଟ୍ ଏବଂ ଏହା ବିକାଶକୁ ଅଧିକ ତ୍ୱାରାନ୍ନିତ କରିବା ନେଇ ମୋଦି ଆଶାବ୍ୟକ୍ତ କରିଛନ୍ତି।
ଦେଶର ଅର୍ଥନୀତିକୁ ସଶକ୍ତ କରିବା ସହ ସାଧାରଣ ଲୋକଙ୍କ ପାଇଁ ଏହି ବଜେଟ ଅନେକ ସୁଯୋଗ ସୃଷ୍ଟି କରିବ। ସେହିପରି ଅଧିକରୁ ଅଧିକ ଭିତ୍ତିଭୂମି, ଦ୍ରୁତ ଅଭିବୃଦ୍ଧି, ଅଧିକ ନିବେଶ ଏବଂ ଅଧିକ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବାରେ ବାଟ ଫିଟିବ ବୋଲି ମୋଦି କହିଛନ୍ତି। ସେହିପରି ସବୁଜ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହି ବଜେଟ ସହାୟକ ହେବ।
ବଜେଟ ତତ୍କାଳ ଆବଶ୍ୟକତାକୁ ସମାଧାନ କରିବାର କ୍ଷମତା ବହନ କରୁଛି। ଯୁବ, ମଧ୍ୟମବର୍ଗ, ଦଳିତ, ଗରିବ ବଜେଟରୁ ଲାଭାନ୍ନିତ ହେବେ। ପ୍ରତି ଗରିବ ପାଖରେ ଜୀବନଧାରଣ ଆବଶ୍ୟକତା ପହଞ୍ଚାଇବାକୁ ବଜେଟ ସକ୍ଷମ ହୋଇପାରିଛି। ସୂଚନା ଅନୁଯାୟୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ସବୁ ବର୍ଗ ଉପରେ ଫୋକସ କରାଯାଇଥିବା ଭାରତ ସରକାର କହୁଛନ୍ତି। ହେଲେ ବିରୋଧୀ ଚଳିତ ବଜେଟରେ ସାଧାରଣ ଲୋକ, ମଧ୍ୟବିତ୍ତ, ଗରିବ ଓ ଚାଷୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ନଥିବା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।