କାନବେରା: ଆମେରିକା ପରେ ଅଷ୍ଟ୍ରେଲିଆ ସହିତ ବଢ଼ିଛି ଚୀନର ତିକ୍ତତା। ଡ୍ରଗ୍ସ ସ୍ମଗଲିଙ୍ଗ୍ ମାମଲାରେ ଚୀନ୍ ଜଣେ ଅଷ୍ଟ୍ରେଲିଆ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଚୀନର ଏହି ନିଷ୍ପତ୍ତିକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ବିରୋଧ କରିଛନ୍ତି। ଚୀନ୍ ଏଭଳି କରି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆଗକୁ ଖରାପ କରୁଛି ବୋଲି ସ୍କଟ କହିଛନ୍ତି।
ଚୀନ୍ କୋର୍ଟ କାର୍ମ ଗେଲେସ୍ପି ନାମକ ବ୍ୟକ୍ତିଙ୍କୁ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ମୃତ୍ୟୁଦଣ୍ଡ ଦେଇଛନ୍ତି। ଗତ ବର୍ଷ ପାଖରୁ ସେ ଚୀନର ଏକ ଜେଲରେ ରହିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏବଂ ଅଧିକାରୀମାନେ ଏହି ପ୍ରସଙ୍ଗରେ ଚୀନ୍ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଥିଲେ।
ଚୀନ୍ର ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ କୂଟନୀତିକ ଏବଂ ବାଣିଜ୍ୟିକ ସମ୍ପର୍କର ଉଲ୍ଲଘଂନ କରିପାରେ ବୋଲି ମୋରିସନ କହିଛନ୍ତି।
ସୂଚନାଯୋଗ୍ୟ, କରୋନା ଭାଇରସର ମୂଳ ଉତ୍ସ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଜାତିସଂଘରେ ଦାବି କରିଥିଲେ। ଆମେରିକା କରୋନା ପ୍ରସଙ୍ଗରେ ଚୀନ ବିରୋଧରେ ଯେଉଁ ମତ ରଖୁଛି ସେଥିରେ ଅଷ୍ଟ୍ରେଲିଆ ପିଏମ ମଧ୍ୟ ସହମତି ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଚାଇନା ଅଷ୍ଟ୍ରେଲିଆ ସାମଗ୍ରୀ ଉପରେ ଅଧିକ ଟିକସ ଲଗାଇ ଦେଇଛି। ଏଥି ସହିତ ଚୀନ୍ ମଧ୍ୟ ନିଜ ଦେଶର ନାଗରିକଙ୍କୁ ଅଷ୍ଟ୍ରେଲିଆ ଯିବାକୁ ବାରଣ କରିଛି, କାରଣ ଅଷ୍ଟ୍ରେଲିଆରେ ରଙ୍ଗଭେଦକୁ ନେଇ ହିଂସା ରହିଛି।