ଚେନ୍ନାଇ:ତାମିଲନାଡ଼ୁର ଭେଲ୍ଲୋରରୁ ଡିଏମ୍କେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ ବଡ଼ ପରିମାଣର ନଗଦ ଅର୍ଥ ଜବତ ହେବାପରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଏପ୍ରିଲ ୧୦ରେ ଆୟକର ବିଭାଗଠାରୁ ମିଳିଥିବା ସୂଚନା ଆଧାରରେ ଜିଲ୍ଲା ପୁଲିସ୍ ଅଭିଯୁକ୍ତ କାଥିର ଆନନ୍ଦ ଏବଂ ୨ ଜଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି।
ନିର୍ବାଚନ କମିଶନ୍ କହିଛନ୍ତି, ଭେଲ୍ଲୋରଠାରେ ନିର୍ବାଚନ ବାତିଲ କରିବାକୁ ଏକ ସୁପାରିସ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଦିଆଯାଇଛି। ଅଭିଯୁକ୍ତ ଆନନ୍ଦଙ୍କୁ ଜନପ୍ରତିନିଧି ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ସେ ତାଙ୍କ ନାମାଙ୍କନ ପତ୍ର ସହିତ ସଂଲଗ୍ନ କରିଥିବା ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଯାଇଥିଲା। ଅନ୍ୟ ଦୁଇ ଜଣ ଶ୍ରୀନିବାସନ୍ ଏବଂ ଦାମୋଦରନ୍ଙ୍କ ନାମରେ ଲାଞ୍ଚ ଅଭିଯୋଗ ଅଣାଯାଇଥିଲା।
ଆନନ୍ଦ ଡିଏମ୍କେର ବରିଷ୍ଠ ନେତା ଦୁରାଇ ମୁରୁଗାନ୍ଙ୍କ ପୁଅ। ଗତ ମାର୍ଚ୍ଚ ୩୦ ତାରିଖରେ ଦୁରାଇଙ୍କ ବାସଭବନରେ ଚଢ଼ଉ କରି ଆୟକର ବିଭାଗ ୧୦.୫୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାର ୨ ଦିନପରେ ଏହି ନେତାଙ୍କର ଏକ ସହଯୋଗୀଙ୍କର ଏକ ଗୋଦାମରୁ ସେମାନେ ୧୧.୫୩ କୋଟି ଟଙ୍କା ଜବତ କରାଯାଇଥିଲା। ଦୁରାଇ କହିଥିଲେ, ନିର୍ବାଚନକୁ ଆଖି ଆଗରେ ରଖି ଏହି ଚଢ଼ଉ କରାଯାଇଥିଲା। ସେ କହିଥିଲେ, ଚଢ଼ଉ ଏକ ଷଡ଼ଯନ୍ତ୍ର ଥିଲା ଏବଂ କିଛି ରାଜନୀତିକ ବ୍ୟକ୍ତିବିଶେଷ ଏହା ସହିତ ଜଡ଼ିତ ଥିଲେ।