ବିରୋଧୀଙ୍କୁ ନିର୍ବାଚନ କମିଶନଙ୍କ ଝଟ୍‌କା, ଇଭିଏମ୍‌ ପୂର୍ବରୁ ଭିଭିପ୍ୟାଟ୍‌ ଗଣତି ଦାବିକୁ ନା

ନୂଆଦିଲ୍ଲୀ: ଭୋଟ୍‌ ଗଣତିର ଗୋଟିଏ ଦିନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ନିର୍ବାଚନ କମିଶନ ଜବରଦସ୍ତ ଝଟ୍‌କା ଦେଇଛନ୍ତି। ଭୋଟ୍‌ ଗଣତି ବା ଇଭିଏମ୍‌ ଖୋଲିବା ପୂର୍ବରୁ ଭିଭିପ୍ୟାଟ୍‌ ପେପର୍‌ ସ୍ଲିପ୍‌କୁ ପ୍ରଥମେ ଗଣତି କରିବାକୁ ବିରୋଧୀ ଦଳଗୁଡ଼ିକ ଯେଉଁ ଦାବି କରିଥିଲେ, ତାକୁ ଆଜି ନିର୍ବାଚନ କମିଶନ ଅଗ୍ରାହ୍ୟ କରିଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି, ଇଭିଏମ ଭୋଟ୍‌ ଗଣତି ପରେ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ଆସନ ପାଇଁ ଲଟେରି ସିଷ୍ଟମ୍‌ରେ ୫ଟି […]

r

Hemant Lenka
  • Published: Wednesday, 22 May 2019
  • , Updated: 22 May 2019, 04:32 PM IST

ନୂଆଦିଲ୍ଲୀ: ଭୋଟ୍‌ ଗଣତିର ଗୋଟିଏ ଦିନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ନିର୍ବାଚନ କମିଶନ ଜବରଦସ୍ତ ଝଟ୍‌କା ଦେଇଛନ୍ତି। ଭୋଟ୍‌ ଗଣତି ବା ଇଭିଏମ୍‌ ଖୋଲିବା ପୂର୍ବରୁ ଭିଭିପ୍ୟାଟ୍‌ ପେପର୍‌ ସ୍ଲିପ୍‌କୁ ପ୍ରଥମେ ଗଣତି କରିବାକୁ ବିରୋଧୀ ଦଳଗୁଡ଼ିକ ଯେଉଁ ଦାବି କରିଥିଲେ, ତାକୁ ଆଜି ନିର୍ବାଚନ କମିଶନ ଅଗ୍ରାହ୍ୟ କରିଦେଇଛନ୍ତି।

ନିର୍ବାଚନ କମିଶନ କହିଛନ୍ତି, ଇଭିଏମ ଭୋଟ୍‌ ଗଣତି ପରେ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ଆସନ ପାଇଁ ଲଟେରି ସିଷ୍ଟମ୍‌ରେ ୫ଟି ବୁଥର ଭିଭିପ୍ୟାଟ୍‌ ଚିରକୁଟ୍‌କୁ ଗଣାଯିବ। ଏନେଇ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଇଭିଏମ ଭୋଟିଂ ସରିବା ପରେ ହିଁ ଭିଭିପ୍ୟାଟ୍‌ ଚିରକୁଟ୍‌ ଗଣତି ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି।

ଦେଶର ୨୨ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟି ଭୋଟ୍‌ ଗଣତି ପୂର୍ବରୁ ଭିଭିପ୍ୟାଟ୍‌ ସ୍ଲିପ୍‌କୁ ଗଣତି କରିବାକୁ ଦାବି କରିଥିଲେ। ଏଥିସହ ଯଦି ଗଣତି ବେଳେ ଇଭିଏମ ସହ ଭିଭିପ୍ୟାଟ୍‌ର ସଂଖ୍ୟା ମେଳ ନ ଖାଏ, ତା’ହେଲେ ପୂରା ବିଧାନସଭା ନିର୍ବାଚନମଣ୍ଡଳୀର ଭିଭିପ୍ୟାଟ୍‌ ସହ ଇଭିଏମ୍‌ ଭୋଟ୍‌ର ଗଣତି କରିବାକୁ ଦାବି କରିଥିଲେ। ବିରୋଧୀଙ୍କ ଏହି ଦାବି ପରେ ଆଜି ନିର୍ବାଚନ କମିଶନରେ ଥିବା ୩ ଜଣିଆ କମିଟି ଏହା ଉପରେ ତର୍ଜମା କରିଥିଲେ। ଶେଷରେ ବିରୋଧୀଙ୍କ ଦାବି ଅଗ୍ରାହ୍ୟ ହୋଇଯାଇଥିଲା।

ନିର୍ବାଚନ କମିଶନଙ୍କ ୩ ଜଣିଆ କମିଟି କହିଛନ୍ତି, “ଯଦି ଇଭିଏମ ଭୋଟ୍‌ ସହ ଭିଭିପ୍ୟାଟ୍‌ ସ୍ଲିପ୍‌ ମେଳ ନ ଖାଇଲା, ତା’ହେଲେ ଭିଭିପ୍ୟାଟ୍‌ର ଭୋଟ୍‌ ହିଁ ଗଣତିରେ ସାମିଲ ହେବ। ନିର୍ବାଚନ ଆଇନ୍‌ ୫୬ଡି(୪)(ବି) ଅନୁଯାୟୀ ଏଭଳି ବ୍ୟବସ୍ଥା ରହିଛି। ଏଥିସହ ନିର୍ବାଚନ ଫଳାଫଳ ଭିଭିପ୍ୟାଟ୍‌ ଗଣତି ଆଧାରରେ ହିଁ ପ୍ରକାଶ ପାଇବ।”

ପୂର୍ବରୁ ଭିଭିପ୍ୟାଟ୍‌ ଓ ଇଭିଏମ ମେଳ କରାଯିବା ସମ୍ପର୍କରେ କୌଣସି ନିୟମ ନଥିଲା। ହେଲେ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଇଭିଏମ ଟ୍ୟାମ୍ପରିଂ ନେଇ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ଏହାପରେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଭିଭିପ୍ୟାଟ୍‌ର ବ୍ୟବସ୍ଥା କରାଯାଇଛି।

ଇଭିଏମ ଟ୍ୟାମ୍ପରିଂ ବିବାଦ ପରେ ସୁପ୍ରିମକୋର୍ଟ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବୁଥର ଭିଭିପ୍ୟାଟ୍‌କୁ ଭୋଟ୍‌ ଗଣତି ପରେ ଇଭିଏମ ସହ ମେଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅର୍ଥ ଗୋଟିଏ ଲୋକସଭା ଆସନରେ ୩୦ଟି ଭିଭିପ୍ୟାଟ୍‌ ସ୍ଲିପ୍‌ ସହ ଇଭିଏମ ଭୋଟ୍‌କୁ ମେଳ କରାଯିବ। ତେବେ ନିର୍ବାଚନ କମିଶନ ଆଜି ବିରୋଧୀଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିବାରୁ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଅନ୍ୟପକ୍ଷରେ ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଇଭିଏମ ସ୍ଥାନାନ୍ତର ହେଉଥିବା ଅଭିଯୋଗ ପ୍ରସଙ୍ଗରେ ମଧ୍ୟ ନିର୍ବାଚନ କମିଶନ ନିଜର ପକ୍ଷ ରଖିଛନ୍ତି। କମିଶନ କହିଛନ୍ତି, “ଯେଉଁ ଇଭିଏମଗୁଡ଼ିକ ସ୍ଥାନାନ୍ତର ହେଉଥିଲା, ସେଗୁଡ଼ିକ ଅବ୍ୟବହୃତ ହୋଇ ପଡ଼ିଥିଲା। ତେଣୁ ଏହାକୁ ଭୋଟ ଗଣତି ପୂର୍ବରୁ ସ୍ଥାନାନ୍ତର କରାଯାଇଛି।”

Related story