ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳର ଆସନ୍ତାକାଲି ଶେଷଦିନ। ଆଜି ରାଷ୍ଟ୍ରପତି ଭବନର ସେଣ୍ଟ୍ରାଲ ହଲରେ ମୁଖାର୍ଜୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ଆଜି ସନ୍ଧ୍ୟା ସାଢେ ୫ଟାରେ ଏହି ସମାରୋହ ଆରମ୍ଭ ହେବ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଏହା ଚାଲିବ।
ସମାରୋହରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁମିତ୍ରା ମହାଜନ, ଉପରାଷ୍ଟ୍ରପତି ହମିଦ ଅନ୍ସାରୀ ଉପସ୍ଥିତ ରହିବେ। ଏହି ସମାରୋହରେ ମୁଖାର୍ଜୀଙ୍କୁ ଏକ ମୋମେଣ୍ଟୋ ଓ କଫି ଟେବୁଲ ବୁକ୍ ଉପହାର ଦିଆଯିବ। କଫି ଟେବୁଲରେ ମୋଦି, ସୋନିଆ ଗାନ୍ଧୀ, ସୁମିତ୍ରା ମହାଜନ, ଲୋକସଭାର ଉପବାଚସ୍ପତି ଥମ୍ବିଦୁରାଇ ଓ ରାଜ୍ୟସଭାର ଉପସଭାପତି ପିଜେ. କୁରୀୟନ ପ୍ରମୁଖଙ୍କର ଦସ୍ତଖତ ରହିବ। ମୋମେଣ୍ଟୋରେ ସୁମିତ୍ରା ମହାଜନ ଓ ହମିଦ୍ ଅଂସାରୀଙ୍କ ଦସ୍ତଖତ ରହିବ।
ଏହି ଅବସରରେ ସୁମିତ୍ରା ମହାଜନଙ୍କ ସ୍ପିଚ୍ ଏକ ସିଲ୍କ୍ କପଡାରେ ଉଲ୍ଲେଖ ରହିବ। ଏହି ସିଲ୍କ କପଡାରେ ପଶ୍ଚିମବଙ୍ଗର କାରୁକାର୍ଯ୍ୟ ରହିବ। ଏହାକୁ ମୁଖାର୍ଜୀଙ୍କୁ ଉପହାର ଭାବେ ଦିଆଯିବ।
ପ୍ରଣବ ମୁଖାର୍ଜୀଙ୍କ ପସନ୍ଦକୁ ଧ୍ୟାନରେ ରଖି ସମାରୋହରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ପଶ୍ଚିମବଙ୍ଗର ସନ୍ଦେଶ ପରଷା ଯିବ।