ରାଏବରେଲୀ: ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳ ଏବେ ପରାଜୟର କାରଣ ଖୋଜିବାକୁ ମାନସମନ୍ଥନ ଆରମ୍ଭ କରିଛି। ବିଶେଷ କରି ଦଳ ଉତ୍ତର ପ୍ରଦେଶ(ୟୁପି) ଉପରେ ଫୋକସ କରିଛି। ୨୦୨୨ରେ ଏଠାରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏବେଠାରୁ ଦଳ ୟୁପି ପାଇଁ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଏଥର ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଯିବ ବୋଲି ଜଣାପଡ଼ିଛି।
ଉତ୍ତର ପ୍ରଦେଶ କଂଗ୍ରେସର କାର୍ଯ୍ୟକର୍ତ୍ତା ମଧ୍ୟ ସମାନ ଦାବି କରିଛନ୍ତି। ବୁଧବାର ମା’ ସୋନିଆଙ୍କ ସହ ପ୍ରିୟଙ୍କା ରାଏବରେଲୀ ଗସ୍ତ କରିଥିଲେ। ରାଏବରେଲୀର ଭୋଟର ସୋନିଆଙ୍କୁ ଜିତାଇଥିବାରୁ ସେମାନେ ଧନ୍ୟବାଦ ଜଣାଇବା ପାଇଁ ସେଠାକୁ ଯାଇଥିଲେ। ଏହି ସମୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଉତ୍ତର ପ୍ରଦେଶରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନର ସମୀକ୍ଷା ମଧ୍ୟ କରିଥିଲେ। ଏହି ସମୀକ୍ଷା ବେଳେ ଦଳର କର୍ମକର୍ତ୍ତାମାନେ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଦାବି ଜଣାଇଥିଲେ।
କଂଗ୍ରେସର ରାଜ୍ୟସଭା ସାଂସଦ ସଞ୍ଜନ ସିହ୍ନା କହିଛନ୍ତି, “ଏବେ ଉତ୍ତର ପ୍ରଦେଶ କଂଗ୍ରେସର ଦାୟିତ୍ୱ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜ ହାତକୁ ନେବା ଦରକାର। ସେ ୨୦୨୨ ନିର୍ବାଚନକୁ ଦୃଷ୍ଟିରେ କାର୍ଯ୍ୟ କରନ୍ତୁ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ହୋଇ ଆଗକୁ ଆସନ୍ତୁ।” ସେହିଭଳି ୟୁପିର ଅନ୍ୟ କେତେଜଣ କଂଗ୍ରେସ ନେତା ମଧ୍ୟ ପ୍ରିୟଙ୍କା ୨୦୨୨ରେ କଂଗ୍ରେସର ନେତୃତ୍ୱ ନେବା ଦରକାର ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ଵାଚନରେ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତିବାକୁ ସକ୍ଷମ ହୋଇଛି।