ଇସ୍ଲାମାବାଦ୍: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ହଟାଇବାକୁ ଯୁଦ୍ଧଂ ଦେହୀ ଡାକରା। ଆଉ ଏଭଳି ଡାକରା ଦେଇ ବେଶ୍ କିଛି ଦିନ ଧରି ଆନ୍ଦୋଳନ ଆରମ୍ଭ କରିଛନ୍ତି ପାକିସ୍ତାନର ଜଣେ ପ୍ରଭାବଶାଳୀ ଧର୍ମଗୁରୁ। ଶୁକ୍ରବାର ଏହି ଇସ୍ଲାମ ଧର୍ମଗୁରୁ ଇସ୍ଲାବାଦ୍ ପହଞ୍ଚିବା ସହ ଏକ ବୃହତ୍ ରାଲି ଆୟୋଜନ କରିବାର ଅଛି।
ଦକ୍ଷିଣ ପନ୍ଥୀ ସଂଗଠନ ଜାମିଅତ୍ ଉଲେମା ଇ ଇସ୍ଲାମ ଫଜଲ ମୁଖ୍ୟ ମୌଲାନା ଫଜଲୁର ରେହମାନ୍ ଗତ ମାସ ୨୭ ତାରିଖରେ ହିଁ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ମିଶି ‘ଆଜାଦି ଶୋଭାଯାତ୍ରା’ ଆୟୋଜନ କରିଥିଲେ। ଏହି ନେତାମାନେ ମୁଖ୍ୟତଃ ଦକ୍ଷିଣ ସିନ୍ଧ ପ୍ରଦେଶରୁ ଆସିଥିଲେ। ସେମାନେ ଖାନ୍ଙ୍କ ଇସ୍ତଫା ଦାବି କରିବା ସହ ସେମାନେ ଅଭିଯୋଗ ଆଣିଛନ୍ତି ୨୦୧୮ ମସିହାର ନିର୍ବାଚନରେ ଇମ୍ରାନ୍ କିଛି ଓଲଟପାଲଟ କରି କ୍ଷମତାକୁ ଆସିଛନ୍ତି।
ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅର୍ଥନୀତିକ ପରିଚାଳନାରେ ତ୍ରୁଟି କରିବା ସହତାଙ୍କର ଦକ୍ଷତା ନଥିବା ଏବଂ ଖରାପ ଶାସନ ସାଧାରଣ ଲୋକଙ୍କ ଜୀବନ ଧାରଣକୁ ପ୍ରଭାବିତ କରୁଛି।
ରେହମାନ ପ୍ରକୃତରେ ଅକ୍ଟୋବର ୩୧ରେ ପହଞ୍ଚିବାର ଥିଲା। କିନ୍ତୁ ଏଥିରେ ବିଳମ୍ବ ହେବାରୁ ସେ ଆଜି ପହଞ୍ଚିଛନ୍ତି। ଶହ ଶହ ଯାନବାହାନ ଧୀମା ଗତିରେ ଚାଲିବାରୁ ଏଥିରେ ବିଳମ୍ବ ହୋଇଥିଲା ବୋଲି ତାଙ୍କ ଦଳ ପକ୍ଷରୁ କୁହାଯାଇଛି।
ସୁକ୍କୁର, ମୁଲତାନ, ଲାହୋର ଏବଂ ଗୁର୍ଜନୱାଲା ଆଦି ଅଞ୍ଚଳ ଦେଇ ଏହି ଧର୍ମଗୁରୁ ଶୁକ୍ରବାର ଭୋର ସମୟରେ ଇସ୍ଲାମାବାଦ ପହଞ୍ଚିଥିଲେ। ସେ ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି, “ଏହି ଲୋକ (ଇମ୍ରାନ୍ ଖାନ୍) ନିର୍ବାଚନରେ ଅନିୟମିତତା କରି କ୍ଷମତାକୁ ଆସିଛନ୍ତି। ସେ କାନ୍ଥରେ ଲେଖା ହେଇଥିବା ଶବ୍ଦସବୁକୁ ଦେଖି ଇସ୍ତଫା ଦେବା ଦରକାର। ଆମେ ତାଙ୍କୁ ହଟାଇଦେବୁ।”
ଏକ ସାକ୍ଷାତକାରରେ ରେହମାନ୍ କହିଛନ୍ତି, ଇମ୍ରାନ୍ ଇସ୍ତଫା ନଦେଲେ ଦେଶରେ ହଙ୍ଗାମା ହେବ। ସରକାରୀ ସୂତ୍ରରୁ ଜଣାଯାଇଛି ହଜାର ହଜାର ଲୋକ ଏଥିରେ ଯୋଗଦେଉଛନ୍ତି। ଏପରିକି ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍ (ପିଏମ୍ଏଲ୍-ଏନ୍) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏହି ସରକାର ବିରୋଧୀ ରାଲିକୁ ସମର୍ଥନ ଜଣାଇ ଏଥିରେ ଯୋଗ ଦେଇଛନ୍ତି।
ପେଶାୱାରଠାରେ ଏହି ଆନ୍ଦୋଳନକାରୀଙ୍କ କ୍ୟାମ୍ପ ଲାଗିଛି। ଏଠାରେ ରାଜନୀତିକ ଦଳମାନେ ମଧ୍ୟ କ୍ୟାମ୍ପ ଲଗାଇଛନ୍ତି। ଏହି ସ୍ଥାନରେ ପିପିପି ନେତା ବିଲୱାଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି, ଇମ୍ରାନ୍ ଖାନ୍ ଜଣେ କଣ୍ଢେଇ। ଦେଶ ଏହି ‘ସିଲେକ୍ଟେଡ୍’ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏବଂ ତାଙ୍କୁ ‘ସିଲେକ୍ଟ’ କରିଥିବା ଲୋକଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବ ନାହିଁ।
ଏହି ରାଲି ଶୁକ୍ରବାର ପ୍ରାର୍ଥନା ପରେ ଆରମ୍ଭ ହେବ ବୋଲି ରେହମାନ୍ କହିଛନ୍ତି। ସେ ଏହି ଅବସରରେ ଆନ୍ଦୋଳନକାରୀ ଏବଂ ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଶେଷରେ ଏମାନେ ଆନ୍ଦୋଳନରୁ ଓହରିଯିବେ କିମ୍ବା ସରକାର ଦମନ କରିବାରେ ସଫଳ ହେବେ ତାକୁ ଅପେକ୍ଷା ରହିଛି। ବର୍ତ୍ତମାନ ଏହି ଜନସମୁଦ୍ରକୁ ଅଟକାଇବା ପାଇଁ ପ୍ରଶାସନ ଅନେକ ସ୍ଥାନରେ ବ୍ଲକିଂ ଆରମ୍ଭ କରିଛି।