ଅହମଦାବାଦ: ଆଜି ପୁଣି ଏକ ମାନହାନି ମାମଲାର ଶୁଣାଣି ଥିଲା ରାହୁଲ ଗାନ୍ଧିଙ୍କ ବିରୋଧରେ। କିନ୍ତୁ କୋର୍ଟରେ ହାଜର ହୋଇନଥିଲେ ରାହୁଲ ଗାନ୍ଧି। ଅହମଦାବାଦ କୋର୍ଟରେ ବିଜେପି ସଭାପତି ଅମିତ ଶାହଙ୍କ ଦ୍ୱାରା ଏହି ମାନହାନି ମୋକଦ୍ଦମା ଦାୟର ହୋଇଥିଲା। କେବଳ ରାହୁଲଙ୍କ ଓକିଲ ହାଜର ହୋଇ ପକ୍ଷ ରଖିଥିବା ସୂଚନା ରହିଛି। ଏହି ମାମଲାରେ ରାହୁଲଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ ନେଇ ଛାଡ଼ ଦିଆଯାଉ ବୋଲି ରାହୁଲଙ୍କ ଓକିଲ ବିଚାରପତିଙ୍କ ଆଗରେ କହିଥିଲେ। ଏହାପରେ ଅହମଦାବାଦ କୋର୍ଟ ମାମଲାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ଅଗଷ୍ଟ ୯ ପୂର୍ବରୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସରେ ଏହି ମାମଲା ପୂର୍ବରୁ ୨ଟି ମାମଲାରେ ହାଜର ହୋଇ ଜାମିନ ପାଇ ସାରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ।
Rahul Gandhi has been summoned by an Ahmedabad court, asking him to be present before it on August 9 in connection with a defamation case filed against him over his reported remark against Home Minister Amit Shah, in an election rally in April. (file pic) pic.twitter.com/8JUuXu3xph
— ANI (@ANI) July 9, 2019
ଏକ ହତ୍ୟାକାଣ୍ଡ ମାମଲାରେ ଅମିତ ଶାହଙ୍କ ସଂପୃକ୍ତି ରହିଥିବା ବେଳେ ତାଙ୍କ ପୁଅ ଜୟ ଶାହଙ୍କ ନାମରେ ଦୁର୍ନୀତି ଅଭିଯୋଗ ଅଛି ବୋଲି ଲୋକସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି କହିଥିଲେ।ଏହାକୁ ନେଇ ଅମିତ ଶାହ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ।
୨୦୦୫ ମସିହାରେ ଗ୍ୟାଙ୍ଗଷ୍ଟର ଶୋରାବୁଦ୍ଦିନ ଫେକ୍ ଏନକାଉଣ୍ଟର ମାମଲାରେ ଅମିତ ଶାହଙ୍କର ହାତ ଥିଲା ବୋଲି ରାହୁଲ ଗାନ୍ଧି ପ୍ରଚାର ବେଳେ ଏକ ସଭାରେ କହିଥିଲେ। କିନ୍ତୁ ୨୦୧୪ରେ ଏହି ଏନକାଉଣ୍ଟର ମାମଲାରେ ଅମିତ ଶାହଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନଥିବାରୁ ସିବିଆଇ ମାମଲା ଖାରଜ କରିଥିଲା। ଗତବର୍ଷ ମଧ୍ୟ ସିବିଆଇର ଏହି ନିଷ୍ପତ୍ତିକୁ ବମ୍ୱେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ହାଇକୋର୍ଟ ମଧ୍ୟ ମାମଲା ଖାରଜ କରିଦେଇଥିଲେ।
ତେବେ ପୁଣି ଆଉ ଏକ ମାନହାନି ମାମଲାରେ ଜୁଲାଇ ୧୨ ତାରିଖରେ ଅହମଦାବାଦ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧି। ନୋଟବନ୍ଦୀ ବେଳେ ଅହମଦାବାଦ କୋପରେଟିଭ ବ୍ୟାଙ୍କ୍ ୭୪୫ କୋଟି ୫୯ ଲକ୍ଷର କଳା ଟଙ୍କାକୁ ଧଳା କରିଥିବା ରାହୁଲ ଓ କଂଗ୍ରେସ ମୁଖପାତ୍ର ରଣଦୀପ କହିଥିଲେ। ଏହାକୁ ନେଇ ମଧ୍ୟ ମାନହାନି ମୋକଦ୍ଦମା ରୁଜୁ ହୋଇଥିଲା।