ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ମୁଁ ରାହୁଲ ସାବରକର ନୁହେଁ’ ମନ୍ତବ୍ୟ ପରେ ବୀର ସାବରକରଙ୍କ ନାତି ରଞ୍ଜିତ ସାବରକର ରାହୁଲଙ୍କ ନାମରେ ମାନହାନି ମୋକଦ୍ଦମା କରିବେ ବୋଲି କହିଛନ୍ତି। ଏପରକି ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି।
ରଞ୍ଜିତ କହିଛନ୍ତି, ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ସେ ଏଭଳି ମନ୍ତବ୍ୟ ଦେବାରେ ଅଭ୍ୟାସରେ ପଡ଼ିଗଲେଣି। ସେ ଆହୁରି ମଧ୍ୟ କହିଛନ୍ତି, “ଜବାହରଲାଲ ନେହରୁ ମଧ୍ୟ ଥରେ ଶିବାଜୀଙ୍କୁ ଲୁଟେରା କହିଥିଲେ ଏବଂ ପରେ କ୍ଷମା ମାଗିଥିଲେ। ସେ ତାଙ୍କ ପରିବାରର ଭୁଲ ଦୋହରାଉଛନ୍ତି।”
ରଞ୍ଜିତ ମୁଖ୍ୟମନ୍ତ୍ରୀ ଠାକ୍ରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ୱାନ କରିଛନ୍ତି ସେମାନେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ସେ ଶିବସେନାକୁ ପରାମର୍ଶ ଦେଇଛନ୍ତି ଏହା କଂଗ୍ରେସ ସହ ମେଣ୍ଟ ଭାଙ୍ଗିଦେଉ। ସେ ମେଣ୍ଟକୁ ନେଇ କହିଛନ୍ତି, “ଏପରି ହେଲେ ସରକାର ଭାଙ୍ଗିବନାହିଁ। ବିଜେପି ଏବଂ ଶିବସେନା ସରକାର କରିପାରିବେ। ସରକାର ଆସେ ଯାଏ, କିନ୍ତୁ ଏମିତି ଅପମାନ ବରଦାସ୍ତ କରିହେବନି। ଆମେ ସ୍ୱାଧୀନତା ସଂଗ୍ରାମୀ ଏବଂ ଆମ ନେତାଙ୍କୁ ଅପମାନିତ କରିବା ଠିକ୍ ନୁହେଁ। ଶିବସେନା କଂଗ୍ରେସର ମନ୍ତ୍ରୀମାନଙ୍କୁ ବାହର କରି ନିଜେ ସରକାର ଚଲାଉ, ବିଜେପି ଏହା ବିରୋଧରେ ଭୋଟ୍ ଦେବନି।”