ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପିକୁ ଅଧିକ ଦିନ ଦେଲେ ନାହିଁ ସୁପ୍ରିମକୋର୍ଟ। ବିଜେପି ସୋମବାର ପର୍ଯ୍ୟନ୍ତ ସମୟ ଦେବାକୁ ଅନୁରୋଧ କରିଥିବା ବେଳେ କୋର୍ଟ ଆସନ୍ତାକାଲି (ଶନିବାର) ଅପରାହ୍ନ ୪ଟାରେ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସବୁ କଂଗ୍ରେସ ନେତାଙ୍କ ଭଳି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ କୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହିତ ଟ୍ୱିଟ୍ କରି ବିଜେପି ଓ କର୍ଣ୍ଣାଟକ ରାଜ୍ୟପାଳଙ୍କୁ ସମାଲୋଚନା କରିଛନ୍ତି।
ସେ ଲେଖିଛନ୍ତି, ରାଜ୍ୟପାଳଙ୍କ କାର୍ଯ୍ୟ ଅସାମ୍ବିଧାନିକ ଥିଲା। ବିଜେପିର ପ୍ରବଞ୍ଚନାକୁ ସୁପ୍ରିମ୍କୋର୍ଟଙ୍କ ଝଟ୍କା ଲାଗିଛି। ଆମେ ବିଜେପିକୁ ଆଇନର ସହାୟତା ନେଇ ରୋକିଲୁ। ଏବେ ସେମାନେ ଆସ୍ଥା ଭୋଟ୍ ଜିତିବା ପାଇଁ ଟଙ୍କା ଓ ବାହୁବଳ ଦେଖାଇବେ।
ସେ କ’ଣ ଟ୍ୱିଟ୍ କରିଛନ୍ତି ଏଠାରେ ପଢନ୍ତୁ:
ସେହିପରି କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ଯେ ସମ୍ବିଧାନର ବିଜୟ ହୋଇଛି। ଦେଶରେ ଲୋକତନ୍ତ୍ର ବଜାୟ ରହିଛି। ବି.ଏସ୍ ୟେଦ୍ୟୁରପ୍ପା ଏବେ ମାତ୍ର ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ।
ଅନ୍ୟପକ୍ଷରେ କୋର୍ଟଙ୍କ ରାୟ ଆସିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା କହିଛନ୍ତି ଯେ ତାଙ୍କ ପାଖରେ ବହୁମତ ଅଛି ଓ ସେ ଆସନ୍ତାକାଲି ଗୃହରେ ଏହାକୁ ସାବ୍ୟସ୍ତ କରିବେ।
୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ୧୦୪ଟି ଆସନ ଜିତିଛି। କଂଗ୍ରେସ ୭୮ଟି ଆସନ ପାଇଥିବା ବେଳେ ଜେଡିଏସ୍ ୩୮ଟି ଆସନ ପାଇଛି। ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଫଳାଫଳ ଆସିବା ପରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟ କରି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କଠାରେ ଦାବି କରିଥିଲେ। ସେମାନଙ୍କ ପଛରେ ୧୧୭ ଜଣ ବିଧାୟକଙ୍କ ସମର୍ଥନ ଥିବା ଜଣାଇଥିଲେ। ତା’ସତ୍ତ୍ୱେ ରାଜ୍ୟପାଳ ବିଜେପିକୁ ସୁଯୋଗ ଦେବାରୁ ସେମାନେ ଏହାକୁ ଅସାମ୍ବିଧାନିକ କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ବିଳମ୍ବିତ ରାତିରରେ ଶୁଣାଣି କରିବା ବେଳେ କୋର୍ଟ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇ ନଥିଲେ। ତେବେ ବହୁମତ ସାବ୍ୟସ୍ତ ପାଇଁ ରାଜ୍ୟପାଳ ଦେଇଥିବା ୧୫ ଦିନର ସମୟ ଉପରେ ଶୁଣାଣି କରିବାକୁ କହିଥିଲେ ଏବଂ ଏନେଇ ଉଭୟ ପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ତା’ସହିତ ଗତ ୧୫ ଓ ୧୬ ତାରିଖରେ ୟେଦ୍ୟୁରପ୍ପା ଯେଉଁ ଦୁଇଟି ଚିଠି ରାଜ୍ୟପାଳଙ୍କୁ ଦେଇଥିଲେ ସେଗୁଡ଼ିକୁ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଶନିବାର ଦିନ ବହୁମତ ସାବ୍ୟସ୍ତ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି।