ଦେଶରୁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଚାହୁଁଛନ୍ତି ମୋଦି ସରକାର: ରାହୁଲ୍
ନୂଆଦିଲ୍ଲୀ: ପଦୋନ୍ନତି କିମ୍ୱା ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଗତ ସପ୍ତାହରେ ରାୟ ଶୁଣାଇବା ପରେ ବିରୋଧୀ ମୋଦି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ମୋଦି ସରକାର ସଂରକ୍ଷଣ ବା କୋଟା ବ୍ୟବସ୍ଥା ବିରୋଧୀ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ସରକାର ପୁଣିଥରେ ସୁପ୍ରିମ କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।
Rahul Gandhi: BJP & RSS's ideology is against reservations. They never want SC/STs to progress. They're breaking the institutional structure. I want to tell SC/ST/OBC&Dalits that we'll never let reservations come to an end no matter how much Modi Ji or Mohan Bhagwat dream of it. pic.twitter.com/eyCLigBa8q
— ANI (@ANI) February 10, 2020
ସେ ଆହୁରି କହିଛନ୍ତି, ‘ ଦିଲ୍ଲୀରେ ରବିଦାସ ମନ୍ଦିର ଭାଙ୍ଗିବା ପଛରେ ବିଜେପିର ଭୂମିକା ରହିଛି। କାରଣ ଏହି ମନ୍ଦିର ଏସସି/ଏସଟି କମ୍ୟୁନିଟିର। ମନ୍ଦିର ଭାଙ୍ଗି ଏସସି/ଏସଟି ବର୍ଗର ଲୋକଙ୍କୁ ଆଗକୁ ବଢ଼ିବାକୁ ଦେବ ନାହିଁ ମୋଦି ସରକାର। ବିଜେପି ଏବଂ ଆରଏସଏସର ଚିନ୍ତାଧାରା ସଂରକ୍ଷଣ ବ୍ୟବସ୍ଥା ବିରୋଧରେ। ଆରଏସଏସ ଏବଂ ବିଜେପି ଯେତେ ଚାହିଁଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଦେଶରୁ ହଟିବ ନାହିଁ। କଂଗ୍ରେସ କେବେ ଏମିତି ହେବାକୁ ଦେବନି। ସମ୍ବିଧାନ ଉପରେ ଆକ୍ରମଣ ହେଉଛି। ସମସ୍ତ ସଂସ୍ଥା ବା ଅନୁଷ୍ଠାନକୁ ଭଙ୍ଗାଯାଉଛି। ସଂସଦରେ ମୋତେ କହିବାକୁ ସୁଯୋଗ ଦିଆଯାଉ ନାହିଁ। ନ୍ୟାୟପାଳିକା ଉପରେ ଚାପ ସୃଷ୍ଚି କରାଯାଉଛି। ଦେଶର ପ୍ରମୁଖ ସଂସ୍ଥାମାନଙ୍କୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି’।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ସୁପ୍ରିମକୋର୍ଟ କୋଟା ସମ୍ପର୍କରେ ରାୟ ଦେଇ କହିଥିଲେ, ସରକାରୀ ଚାକିରିରେ କୋଟା କିମ୍ୱା ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ। ଏମିତିକି କୌଣସି ହାଇ କୋର୍ଟ ରାଜ୍ୟ ସରକାରଙ୍କୁ ଏସସି, ଏସଟି ବର୍ଗର ଲୋକଙ୍କୁ ଚାକିରିରେ ସଂରକ୍ଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁବୋଲି ସୁପ୍ରିମ କୋର୍ଟ କହିଥିଲେ। ତେବେ ରାଜ୍ୟ ସରକାର ଚାହିଁଲେ ନିଜ ବିବେକ ଆଧାରରେ ଚାକିରିରେ ଏବଂ ପଦୋନ୍ନତିରେ ସଂରକ୍ଷଣ ନେଇ ନିଷ୍ପତ୍ତି ନେଇପାରିବେ। ହେଲେ କୋଟା ବ୍ୟବସ୍ଥା ଲାଗୁ କରିବା ଅନିର୍ବାର୍ଯ୍ୟ ନୁହେଁ।
ନିକଟରେ ଉତ୍ତରାଖଣ୍ଡ ସରକାର ପିଡ୍ବ୍ଲୁଡିରେ ଆସିଷ୍ଟାଣ୍ଟ ସିଭିଲ୍ ଇଞ୍ଜିନିୟର୍ ପଦୋନ୍ନତି ପାଇଁ ଏସ୍ସି ଓ ଏସ୍ଟିଙ୍କ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏ ନେଇ ଗତ ଶୁକ୍ରବାର ସୁପ୍ରିମକୋର୍ଟର ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ରାୟ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।