ନୂଆଦିଲ୍ଲୀ: ଦେଶର ସାମାଜିକ ଓ ରାଜନୀତି ଉପରେ ଗୁରୁତ୍ୱ ବହନ କରୁଥିବା ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସବୁଠୁ ବଡ଼ କଥା ହେଲା ଏହି ଆନ୍ଦୋଳନ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ଦେଶରେ କଂଗ୍ରେସ ଏକ ମଜବୁତ ସ୍ଥିତିରେ ଥିଲା। ବିଜେପିର ସ୍ଥିତି ସେମିତି କିଛି ନଥିଲା। ହେଲେ ଏହି ମାମଲାର ରାୟ ପ୍ରକାଶ ପାଇବା ବେଳକୁ ଦେଶର ରାଜନୀତି ପୂରା ଓଲଟି ଯାଇଛି। କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ଦେଶର ଅନେକ ରାଜ୍ୟରେ ମଧ୍ୟ କ୍ଷମତାରେ ରହିଛି। ୨୦୧୯ରେ ବିଜେପି ୩୦୩ ଆସନ ଜିତି ମୋଟ୍ ୩୭ ପ୍ରତିଶତ ଭୋଟ୍ ଅକ୍ତିଆର କରିଛି। ସେହିପରି ବିରୋଧୀ କଂଗ୍ରେସ ଏବେ ବିଜେପିର ଅଧା ଅର୍ଥାତ୍ ୧୯ ପ୍ରତିଶତ ଭୋଟ୍ ପାଇଛି।
ତେବେ ରାଜନୀତିର ଇତିହାସ ପୃଷ୍ଠା ଯଦି ଓଲଟାଇବା ତାହେଲେ ରାଜନୀତିକ ଚିତ୍ର କିଛି ଅଲଗା ଥିଲା। ଯାହାକି ଏହାର ଓଲଟା। ୧୯୮୪ରେ ସାଧାରଣ ନିର୍ବାଚନ ହୋଇଥିଲା। କଂଗ୍ରେସ ୪୦୪ଟି ଆସନରେ ବିଜୟୀ ହୋଇଥିବା ହୋଇ ୪୯ ପ୍ରତିଶତ ଭୋଟ୍ ଅକ୍ତିଆର କରିଥିଲା। ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହୋଇଥିଲେ। ଅନ୍ୟପଟେ ବିଜେପି ସେତେବେଳେ ୮ ପ୍ରତିଶତ ଭୋଟ୍ ପାଇଥିଲା। ମୋଟ୍ ୨ ଜଣ ସାଂସଦ ଲୋକସଭାରେ ଥିଲେ।
୧୯୮୪ରୁ ୨୦୧୯ ଯାଏ ଦେଶର ରାଜନୀତିରେ ଅନେକ ପରିବର୍ତ୍ତନ ହୋଇଛି। ସେତେବେଳେ ଦକ୍ଷିଣପନ୍ଥୀ ଚିନ୍ତାଧାରାର ଅଙ୍କୁରୋଦଗମ୍ ହୋଇଥିବା ବେଳେ ଏବେ ଏହି ଚିନ୍ତାଧାରା ଦେଶରେ ବର ଗଛ ସଦୃଶ ହୋଇଛି। ୧୯୮୦ରେ ହୋଇଥିବା ରାମ ଜନ୍ମଭୂମିକୁ ନେଇ ଆନ୍ଦୋଳନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଦୁଇଟି ନିଷ୍ପତ୍ତି ଏହି ଦକ୍ଷିଣ ପନ୍ଥି ଚିନ୍ତାଧାରାକୁ ଆଗକୁ ବଢ଼ଇବାରେ ସହାୟକ ହୋଇଥିଲା ବୋଲି ଅନେକ ସାମାଜିକ କର୍ମୀ ଓ ଆଇଏଏସ କୁହନ୍ତି।
ରାଜବୀ ଗାନ୍ଧିଙ୍କ ପ୍ରଥମ ନିଷ୍ପତ୍ତି ଥିଲା, ଛାଡ଼ପତ୍ରର ଶିକାର ହୋଇଥିବା ମୁସଲିମ୍ ମହିଳା ଶାହବାନୋଙ୍କୁ ଭତ୍ତା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କୁ ଏହି ନିଷ୍ପତ୍ତିକୁ ସଂସଦରେ ବଦଳାଇ ଦେଇଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି। ଯାହାକି, କଟ୍ଟରପନ୍ଥୀ ମୁସଲିମଙ୍କୁ ଖୁସି କରାଇଥିଲା। ପୂର୍ବତନ ଗୃହ ସଚିବ ଆର.ଡି ପ୍ରଧାନ ‘ମାଇଁ ଇୟର୍ସ ଓ୍ୱିଥ୍ ରାଜୀବ ଆଣ୍ଡ୍ ସୋନିଆ’ରେ ଏହା ଲେଖିଛନ୍ତି। ତେବେ ଏଭଳି ନିଷ୍ପତ୍ତି ନନେବାକୁ ରାଜୀବଙ୍କୁ ଆର.ଡି ପ୍ରଧାନ ପରାମର୍ଶ ଦେଇଥିଲେ ବୋଲି ତାଙ୍କ ବହିରେ ଲେଖିଛନ୍ତି। ଏହାପରେ ରାଜୀବ ଗାନ୍ଧି ରାଜନୀତିର ଜଟିଳ ଗଣିତରେ ଫଶିଯାଇଥିଲେ। ତେବେ ନିଜ ନିଷ୍ପତ୍ତିରେ ଦୃଢ କାଏମ ରହୁଥିବା ରାଜୀବ ଆଉ ଏକ ଦୃଢ଼ ପଦକ୍ଷେପ ନେଇଥିଲେ। ୧୯୮୬ରେ ବାବ୍ରି ମସଜିଦରେ ଥିବା ବିବାଦୀୟ ପରିସର ଭିତରେ ସେତେବେଳେ ତାଲା ପଡ଼ିଥିଲା। ହେଲେ ଏହି ତାଲା ଖୋଲିବାକୁ ରାଜୀବ ଗାନ୍ଧି ସରକାର ନିର୍ଦ୍ଦେଶ ଦେଇଥିଲେ। ହିନ୍ଦୁ ସମୁଦାୟ ପୂଜା କରନ୍ତୁ ବୋଲି ଉଦ୍ଦେଶ୍ୟ ରଖି ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଏହି ନିଷ୍ପତ୍ତି ନେଇଥିଲେ।
ଆଗକୁ ନିର୍ବାଚନ ଥିଲା ତେଣୁ ଦୁଇ ସମ୍ପ୍ରଦାୟଙ୍କୁ ଖୁସି କରିବାକୁ ଯାଇ ରାଜୀବ ଗାନ୍ଧି ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ୧୯୮୬ରେ ସାମ୍ୱାଦିକ ନିରଜ ଚୌଧୁରୀ ସେତେବେଳେ କହିଥିଲେ। ତେବେ ତାଲା ଖୋଲିବା ପରେ ନୂଆ ବିବାଦ ବଢ଼ିଥିଲା। ସେହି ବିବାଦୀୟ ଜମିରେ ରାମ ଜନ୍ମଭୂମି ତିଆରି କରିବା ପାଇଁ ଆନ୍ଦୋଳନ ତେଜିଥିଲା।ଏହି ଆନ୍ଦୋଳନକୁ ସେତେବେଳେ ଜୋରଦାର କରିଥିଲା ବିଶ୍ୱ ହିନ୍ଦୁ ପରିଷଦ, ବିଜେପି, ଆରଏସଏଏସ।
ରାଜନୀତିକ ବିଶାରଦ ଇମତିଆଜ ଅହମଦ ଆରଏସଏସ ବଢ଼ିବା ପଛରେ କହିଛନ୍ତି, ଦେଶରେ ୧୯୭୦ରେ ଆରଏଏସର ଚିନ୍ତାଧାରା ଦେଶରେ ପ୍ରବେଶ କରିଥିଲା। ସେତେବେଳେ ଭାରତୀୟ ରାଜନୀତିରେ ଆରଏସଏସ ଚିନ୍ତାଧାରା ଅଛୁଆଁ ଥିଲା। ହେଲେ ଜେପି ଆନ୍ଦୋଳନ ବେଳେ ସଂଘ ବିରୋଧୀ ଦଳର ନିକଟତର ହୋଇଥିଲା। ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ ହୋଇଥିବାବେଳେ ଆରଏସଏସ ନେତା ଜେଲ୍ ଯାଇଥିଲେ। ଆଉ ଏହାପରେ ସାରା ଦେଶରେ ଦକ୍ଷିଣପନ୍ଥୀ ଚିନ୍ତାଧାରାର ପବନ ବୋହିବା ଆରମ୍ଭ ହୋଇଥିଲା।
ଏହାପରେ ଲାଲକୃଷ୍ଣ ଆଡ଼ଭାନୀଙ୍କ ନେତୃତ୍ୱରେ ରଥଯାତ୍ରା ଏହି ଚିନ୍ତାଧାରାକୁ ସାରା ଦେଶରେ ପରିଚିତ କରାଇଥିଲା। ରାଜନୀତିକ ବିଶାରଦ ଇମତିଆଜ କହିଛନ୍ତି, ‘ମୋ ମତରେ ବିବାଦୀୟ ପରିସରରେ ତାଲା ଖୋଲିବା ନିଷ୍ପତ୍ତି ରାଜୀବଙ୍କର ଏକ ଭୁଲ୍ ନିଷ୍ପତ୍ତି ବୋଲି କହିପାରିବା। ହେଲେ ଏହା ଏକ ଘଟଣା ଥିଲା। ଯଦି ତାଲା ଖୋଲାଯାଇନଥାନ୍ତା ତାହେଲେ ଦକ୍ଷିଣପନ୍ଥୀ ଚିନ୍ତାଧାରା ନିଜର ପତିଆରା ଜାହିର କରିବା ପାଇଁ ପ୍ରସ୍ତୁତି କରୁଥିଲା’।