ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳର ନେତୃତ୍ୱ ନେଉଥିବା ଭାରତୀୟ କିଷାନ ୟୁନିୟର(ବିକେୟୁ)ର ମୁଖପାତ୍ର ରାକେଶ ଟିକାୟତଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଗାଜିପୁରରେ ଚାଷୀମାନେ ତାଙ୍କରି ନେତୃତ୍ୱରେ ଦୀର୍ଘ ୨ ମାସ ହେଲା ଆନ୍ଦୋଳନ କରୁଛନ୍ତି। ଦିଲ୍ଲୀ ହିଂସକାଣ୍ଡ ଘଟଣାରେ ରୁଜୁ ହୋଇଥିବା ଏଫଆଇଆର୍ରେ ତାଙ୍କ ନାଁ ଥିବାରୁ ତାଙ୍କ ପ୍ରତି ଗିରଫର ଭୟ ମଧ୍ୟ ସୃଷ୍ଟି ହୋଇଛି।
ତେବେ ଚାଷୀ ଆନ୍ଦୋଳନ ପାଇଁ ରାକେଶ ଟିକାୟତ ପୂର୍ବରୁ ୪୪ଥର ଜେଲ ମଧ୍ୟ ଯାଇସାରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଏକଦା ଦିଲ୍ଲୀ ପୁଲିସ୍ରେ କନଷ୍ଟେବଲ ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ଜମି ଅଧିଗ୍ରହଣ ଆଇନ ବିରୋଧରେ ଆନ୍ଦୋଳନ କରି ସେ ମଧ୍ୟପ୍ରଦେଶରେ ୩୯ ଦିନ ଜେଲରେ ରହିଥିଲେ। ଆଖୁର ଦାମ ବୃଦ୍ଧି କରିବା ଦାବିରେ ରାକେଶ ଟିକାୟତ ସଂସଦ ବାହାରେ ଆନ୍ଦୋଳନ କରୁଥିବାରୁ ତାଙ୍କୁ ତିହାର ଜେଲ ଯିବାକୁ ପଡ଼ିଥିଲା। ଏଭଳି ଆଉ ଏକ ଆନ୍ଦୋଳନରେ ତାଙ୍କୁ ଜୟପୁରରେ ଜେଲ୍ ହାଜତକୁ ପଠାଯାଇଥିଲା।
ଏବେ ବି ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ପ୍ରଶାସନ ଚାଷୀମାନଙ୍କୁ ଗାଜିପୁର ଆନ୍ଦୋଳନସ୍ଥଳ ଖାଲି କରିବାକୁ କହିଥିଲେ ହେଁ ରାକେଶ ଟିକାୟତ ନିଜ ଜିଦ୍ରେ ଅଟଳ ରହିଛନ୍ତି। ଆତ୍ମହତ୍ୟା କରିବେ ପଛେ କେବେ ହେଲେ ପଛକୁ ହଟିବେ ନାହିଁ ବୋଲି ସେ କହିଛନ୍ତି।
ମୁଜାଫରନଗରର ସିସାଉଲି ଗାଁରେ ରାକେଶ ଟିକାୟତ ୧୯୬୯ ମସିହା ଜୁନ୍ ୪ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ମହେନ୍ଦ୍ର ସିଂହ ଟିକାୟତ ଭାରତୀୟ କୃଷକ ୟୁନିୟନର ପୂର୍ବତନ ସଭାପତି। ୧୯୮୭ ମସିହାରେ ଭାରତୀୟ କିଷାନ ୟୁନିୟନ ପ୍ରତିଷ୍ଠା ହୋଇଥିଲା। ଚାଷୀମାନେ ମହେନ୍ଦ୍ର ସିଂହ ଟିକାୟତଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶର କାରମୁଖେରିରେ ବିଶାଳ ଆନ୍ଦୋଳନ କରିଥିଲେ। ଏହି ସମୟରେ ପୁଲିସ୍ ଗୁଳିରେ ୨ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଏହି ଗୁଳିକାଣ୍ଡ ଘଟଣା ପରେ ଭାରତୀୟ କୃଷକ ୟୁନିୟନ ପ୍ରତିଷ୍ଠା ହୋଇଥିଲା ଓ ଚୌଧୁରୀ ମହେନ୍ଦ୍ର ସିଂହ ଟିକାୟତ ଏହାର ସଭାପତି ହୋଇଥିଲେ। ସେ ସାରା ଜୀବନ ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ କରିଥିଲେ।
ତାଙ୍କ ପୁଅ ରାକେଶ ଟିକାୟତ ଏଲଏଲବି ପଢ଼ିବା ପରେ ୧୯୮୫ରେ ସୁନୀତା ଦେବୀଙ୍କୁ ବିବାହ କରିଥିଲେ। ଏହି ବର୍ଷ ସେ ଦିଲ୍ଲୀ ପୁଲିସ୍ରେ କନଷ୍ଟେବଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ୯୦ ଦଶକରେ ସେ ଚାକିରିରୁ ଇସ୍ତଫା ଦେଇ ଦିଲ୍ଲୀର ଲାଲକିଲ୍ଲାରେ ହେଉଥିବା ଚାଷୀ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ।
ସେବେଠାରୁ ରାକେଶ ଚାଷୀଙ୍କ ପାଇଁ ଲଢ଼େଇ କରି ଚାଲିଛନ୍ତି। ମହେନ୍ଦ୍ର ସିଂହ ଟିକାୟତଙ୍କ ମୃତ୍ୟୁ ପରେ ଭାରତୀୟ କିଷାନ ୟୁନିୟନର ଜାତୀୟ ମୁଖପାତ୍ର ଭାବେ ରାକେଶ ଟିକାୟତଙ୍କୁ ନିଯୁକ୍ତି ମିଳିଥିଲା। ସେହିପରି ନରେଶ ଟିକାୟତ ୟୁନିୟନର ସଭାପତି ହୋଇଥିଲେ। ନରେଶ ସଭାପତି ହୋଇଥିଲେ ହେଁ ରାକେଶ ହିଁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ।
ରାଜନୀତିରେ ମଧ୍ୟ ରାକେଶ ଟିକାୟତ ଦୁଇଥର ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ୨୦୦୭ରେ ମୁଜାଫରନଗରର ଖାଟାଉଲି ଆସନରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୧୪ରେ ସେ ଆରଏଲଡିରୁ ଲୋକସଭା ନିର୍ବାଚନରେ ବି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଉଭୟ ଥର ସେ ପରାସ୍ତ ହୋଇଥିଲେ।