ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାରେ ଗିରଫ ହୋଇଥିବା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀଙ୍କ ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି ହୋଇଛି। ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଏହି ଅବଧି ଅକ୍ଟୋବର ୧ ଯାଏ ବୃଦ୍ଧି କରାଇଛନ୍ତି। ବିଚାରପତି ଅରବିନ୍ଦ କୁମାର ଏହି ରାୟ ଶୁଣାଇଛନ୍ତି।
ଏଥିସହ ରତୁଲ ପୁରୀଙ୍କୁ ତାଙ୍କ ଔଷଧ ନେବା ପାଇଁ ଅନୁମତି ଦେବାକୁ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ବିଚାରପତି କହିଛନ୍ତି। ଯେଉଁ ଜେଲ କୋଠରୀରେ ରତୁଲ ରହୁଛନ୍ତି ତାର ସୁରକ୍ଷା ବ୍ୟବସ୍ଥା ଠିକ୍ ରଖିବାକୁ କୋର୍ଟ କହିଛନ୍ତି।
ବ୍ୟାଙ୍କ ଋଣ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ସେ ଇଡି ଦ୍ୱାରା ଗତ ଅଗଷ୍ଟ ୨୦ ତାରିଖରେ ଗିରଫ ହୋଇଥିଲେ। ଏହି ମାମଲା ବ୍ୟତୀତ ଅଗସ୍ତା ଲ୍ୟାଣ୍ଡ ଭିଭଆଇପି ହେଲିକପ୍ଟର କିଣା ଦୁର୍ନୀତି ମାମଲା ମଧ୍ୟ ତାଙ୍କ ନାମରେ ରହିଛି। ଗିରଫ ହେବା ପୂର୍ବରୁ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେ ଜାମିନ ପାଇବାରେ ବିଫଳ ହୋଇଥିଲେ।
ଗତ ଅଗଷ୍ଟ ୧୭ରେ ସିବିଆଇ ରୁଜୁ କରିଥିବା ମାମଲରେ ରତୁଲଙ୍କ ସହ ତାଙ୍କ ବାପା ଦୀପକ ପୁରୀ, ମା ନୀତା (କମଲ ନାଥଙ୍କ ଭଉଣୀ) ଏବଂ ଅନ୍ୟ କିଛି ଜଣଙ୍କ ନାମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।